Breaking PLUSଦେଶଦେଶ ବିଦେଶବିଧାନସଭାବ୍ୟକ୍ତିତ୍ୱମୁଖ୍ୟ ଖବରରାଜନୀତିସ୍ୱତନ୍ତ୍ର

କେଜ୍ରିୱାଲଙ୍କ ‘ଶୀଶ ମହଲ’ରେ ସାମ୍ବାଦିକ, ଦାମୀ ଆସବାବପତ୍ରର ଖର୍ଚ୍ଚ ଦେଖାଇଲେ ମନ୍ତ୍ରୀ

ଦିଲ୍ଲୀର ରାଜନୀତିରେ ଚର୍ଚ୍ଚାର ବିଷୟ ପାଲଟିଥିବା ଅରବିନ୍ଦ କେଜ୍ରିୱାଲଙ୍କ ପୂର୍ବତନ ସରକାରୀ ବାସଭବନ ‘ଶୀଶ ମହଲ’କୁ ପ୍ରଥମ ଥର ପାଇଁ ସାମ୍ବାଦିକମାନେ ପରିଦର୍ଶନ କରିଛନ୍ତି। ଶୁକ୍ରବାର ଦିଲ୍ଲୀ ସରକାରଙ୍କ ପକ୍ଷରୁ ଏହି ବଙ୍ଗଳାର ଭିତର ସାଜସଜ୍ଜା ଓ ଆସବାବପତ୍ର ଦେଖାଯାଇଥିଲା। ପୂର୍ତ୍ତ ବିଭାଗ ମନ୍ତ୍ରୀ ପରବେଶ ବର୍ମା ଏହାର ନିର୍ମାଣ ଓ ସାଜସଜ୍ଜାରେ ହୋଇଥିବା ଖର୍ଚ୍ଚର ବିବରଣୀ ଦେଇଥିଲେ।

ମନ୍ତ୍ରୀଙ୍କ ତଥ୍ୟ ଅନୁସାରେ, ବଙ୍ଗଳାରେ ୫.୪୭ ଲକ୍ଷ ଟଙ୍କାର ସୋଫା, ୧୧.୫୬ ଲକ୍ଷ ଟଙ୍କାର ଝୁମର, ୫.୫୮ ଲକ୍ଷ ଟଙ୍କାର ଚେୟାର, ୬.୭୯ ଲକ୍ଷ ଟଙ୍କାର ସେଣ୍ଟର ଟେବୁଲ୍‌ ଓ ୫.୬୯ ଲକ୍ଷ ଟଙ୍କାର ପରଦା ରହିଛି। ଏହି ବାସଭବନ ପାଇଁ ମୋଟ ୫୮ କୋଟି ଟଙ୍କାର ବଜେଟ୍‌ ଥିବା ସେ କହିଛନ୍ତି। ସରକାରୀ ସମ୍ପତ୍ତିରେ ଜନସାଧାରଣଙ୍କ ଅର୍ଥ ଖର୍ଚ୍ଚ ହୋଇଥିବାରୁ ଏହାର ହିସାବ ଲୋକଙ୍କ ସାମ୍ନାକୁ ଆଣିବା ଉଦ୍ଦେଶ୍ୟରେ ଗଣମାଧ୍ୟମକୁ ଡକାଯାଇଥିବା ମନ୍ତ୍ରୀ କହିଛନ୍ତି।

କୋଭିଡ୍‌ ମହାମାରୀ ସମୟରେ ବାସଭବନ ନିର୍ମାଣ ସମ୍ପର୍କିତ ଫାଇଲ୍‌ଗୁଡ଼ିକୁ ଜରୁରୀ ଭିତ୍ତିରେ ମଞ୍ଜୁର କରାଯାଉଥିବା ନେଇ ମଧ୍ୟ ସେ ଅଭିଯୋଗ ଆଣିଛନ୍ତି। ଏହି ପ୍ରକଳ୍ପରେ କିଣାଯାଇଥିବା ସମସ୍ତ ସାମଗ୍ରୀର ବିଲ୍‌ ଓ ରସିଦ ସରକାରଙ୍କ ପାଖରେ ଥିବା ସେ ଦାବି କରିଛନ୍ତି।

ଅନ୍ୟପକ୍ଷରେ, ୨୦୨୬ ମାର୍ଚ୍ଚରେ ଦିଲ୍ଲୀ ବିଧାନସଭାରେ ଉପସ୍ଥାପିତ ସିଏଜି ରିପୋର୍ଟରେ ବଙ୍ଗଳାର ନବୀକରଣ ପାଇଁ ୩୩.୬୬ କୋଟି ଟଙ୍କା ବ୍ୟୟ ହୋଇଥିବା ଦର୍ଶାଯାଇଥିଲା। ଏହା ପ୍ରାରମ୍ଭିକ ଆକଳନଠାରୁ ୩୪୨ ପ୍ରତିଶତ ଅଧିକ ବୋଲି ରିପୋର୍ଟରେ ଉଲ୍ଲେଖ ଥିଲା। ସରକାରଙ୍କ ପକ୍ଷରୁ ଦର୍ଶାଯାଇଥିବା ମୋଟ ଖର୍ଚ୍ଚ ୫୮.୮୩ କୋଟି ଟଙ୍କା।

ଏବେ ସାଧାରଣ ଲୋକଙ୍କୁ ମଧ୍ୟ ଏହି ବଙ୍ଗଳା ବୁଲି ଦେଖିବାର ସୁଯୋଗ ଦେବାକୁ ଯୋଜନା ହୋଇଛି। ଅନଲାଇନ୍‌ ଟିକେଟ୍‌ ବୁକିଂ ସହ ପ୍ରବେଶ ଶୁଳ୍କ ପ୍ରାୟ ୨୦ ଟଙ୍କା ରଖିବାକୁ ବିଚାର ଚାଲିଛି। ବରିଷ୍ଠ ନାଗରିକ ଓ କଲେଜ ଛାତ୍ରଛାତ୍ରୀଙ୍କୁ ମାଗଣା ପ୍ରବେଶ ସୁବିଧା ଦେବା ପ୍ରସ୍ତାବ ମଧ୍ୟ ରହିଛି। ତେବେ ଏନେଇ ଚୂଡ଼ାନ୍ତ ନିଷ୍ପତ୍ତି ହୋଇନାହିଁ।

ଶନିବାରଠାରୁ ପବ୍ଲିକ୍‌ ଆକାଉଣ୍ଟସ୍‌ କମିଟି ଏହି ବାସଭବନର ଯାଞ୍ଚ କରିବ। ପରେ ଏହାର ପରିଚାଳନା ଦାୟିତ୍ୱ ଘରୋଇ ହସ୍ପିଟାଲିଟି କମ୍ପାନୀକୁ ଦେବା ସହ ସରକାରୀ ବୈଠକ ଓ ସମ୍ମିଳନୀ ପାଇଁ ବ୍ୟବହାର କରିବାର ଯୋଜନା ରହିଛି। ୬, ଫ୍ଲାଗଷ୍ଟାଫ୍‌ ରୋଡ୍‌ରେ ଥିବା ଏହି ବଙ୍ଗଳା ୨୦୧୫ରୁ ୨୦୨୪ ପର୍ଯ୍ୟନ୍ତ କେଜ୍ରିୱାଲଙ୍କ ସରକାରୀ ବାସଭବନ ଥିଲା। ୨୦୨୪ରେ ମୁଖ୍ୟମନ୍ତ୍ରୀ ପଦ ଛାଡ଼ିବା ପରେ ସେ ଏହାକୁ ଖାଲି କରିଥିଲେ।

Show More

Related Articles

Back to top button