ଦୀଘା ଜଗନ୍ନାଥ ମନ୍ଦିରରୁ ହଟିଲା ‘ଧାମ’, ବିବାଦରେ ପଡ଼ିଲା ପୂର୍ଣ୍ଣଚ୍ଛେଦ

ପଶ୍ଚିମବଙ୍ଗର ଦୀଘାସ୍ଥିତ ଜଗନ୍ନାଥ ମନ୍ଦିରର ନାମକରଣକୁ ନେଇ ଦୀର୍ଘଦିନ ଧରି ଲାଗି ରହିଥିବା ବିବାଦର ଅନ୍ତ ଘଟିଛି। ମନ୍ଦିର ନାମରୁ ‘ଧାମ’ ଶବ୍ଦକୁ ହଟାଇ ଦିଆଯାଇଛି। ଏଣିକି ମନ୍ଦିରର ନାମ ‘ଶ୍ରୀ ଶ୍ରୀ ଜଗନ୍ନାଥ ମନ୍ଦିର’ ଏବଂ ସମ୍ପୂର୍ଣ୍ଣ ପରିସରର ନାମ ‘ଶ୍ରୀ ଶ୍ରୀ ଜଗନ୍ନାଥ ସାଂସ୍କୃତିକ କେନ୍ଦ୍ର’ ରହିବ। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ ଏନେଇ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଚିଠି ଲେଖି ଜଣାଇଛନ୍ତି।
ଦୀଘା ମନ୍ଦିରର ନାମରେ ‘ଜଗନ୍ନାଥ ଧାମ’ ଶବ୍ଦ ବ୍ୟବହାରକୁ ନେଇ ଓଡ଼ିଶାରେ ଅସନ୍ତୋଷ ପ୍ରକାଶ ପାଇଥିଲା। ଶ୍ରୀକ୍ଷେତ୍ର ପୁରୀର ଅନନ୍ୟ ଧାର୍ମିକ ଓ ଆଧ୍ୟାତ୍ମିକ ମହତ୍ତ୍ୱକୁ ଦୃଷ୍ଟିରେ ରଖି ଏହି ନାମରୁ ‘ଧାମ’ ଶବ୍ଦ ହଟାଇବାକୁ ମୋହନ ମାଝୀ ପଶ୍ଚିମବଙ୍ଗ ସରକାରଙ୍କୁ ଅନୁରୋଧ କରିଥିଲେ। ଏହାକୁ ବିଚାରକୁ ନେଇ ନାମ ପରିବର୍ତ୍ତନ କରାଯାଇଥିବା ଶୁଭେନ୍ଦୁ ଅଧିକାରୀ ଚିଠିରେ ଉଲ୍ଲେଖ କରିଛନ୍ତି।
ଚିଠିରେ ସେ କହିଛନ୍ତି ଯେ ମହାପ୍ରଭୁ ଶ୍ରୀଜଗନ୍ନାଥ ଏବଂ ପୁରୀର ପବିତ୍ର ଶ୍ରୀଜଗନ୍ନାଥ ଧାମ ସହ ଜଡ଼ିତ ଗଭୀର ଧାର୍ମିକ, ଆଧ୍ୟାତ୍ମିକ ଓ ସାଂସ୍କୃତିକ ମହତ୍ତ୍ୱକୁ ପଶ୍ଚିମବଙ୍ଗ ସରକାର ସମ୍ମାନ କରନ୍ତି। ଭକ୍ତଙ୍କ ଭାବନାକୁ ଗୁରୁତ୍ୱ ଦେଇ ମନ୍ଦିର ଓ ପରିସରର ନାମ ପରିବର୍ତ୍ତନ କରାଯାଇଛି। ଏହି ସଂଶୋଧିତ ନାମ ମନ୍ଦିରର ଧାର୍ମିକ ପବିତ୍ରତା ସହ ଏହାର ବ୍ୟାପକ ସାଂସ୍କୃତିକ ପରିଚୟକୁ ମଧ୍ୟ ପ୍ରତିଫଳିତ କରିବ ବୋଲି ସେ ଆଶା ପ୍ରକାଶ କରିଛନ୍ତି।
ଅନ୍ୟପକ୍ଷରେ, ଏହି ନିଷ୍ପତ୍ତିକୁ ସ୍ୱାଗତ କରି ଶୁଭେନ୍ଦୁ ଅଧିକାରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ମୋହନ ଚରଣ ମାଝୀ। ଏକ୍ସରେ ପୋଷ୍ଟ କରି ସେ କହିଛନ୍ତି ଯେ ମହାପ୍ରଭୁ ଶ୍ରୀଜଗନ୍ନାଥ କୋଟି କୋଟି ଓଡ଼ିଆଙ୍କ ଆସ୍ଥା, ବିଶ୍ୱାସ ଓ ସାଂସ୍କୃତିକ ପରିଚୟର ପ୍ରତୀକ। ଦୀଘା ମନ୍ଦିର ପାଇଁ ‘ଜଗନ୍ନାଥ ଧାମ’ ନାମ ବ୍ୟବହାର ଭକ୍ତଙ୍କ ଭାବାବେଗକୁ ଆଘାତ ଦେଇଥିଲା। ତେଣୁ ‘ଧାମ’ ଶବ୍ଦ ହଟାଇବା ନିଷ୍ପତ୍ତିକୁ ସେ ସାଧୁବାଦ ଜଣାଇଛନ୍ତି।
ଓଡ଼ିଶା ଓ ପଶ୍ଚିମବଙ୍ଗ ସରକାରଙ୍କ ଗଠନମୂଳକ ସହଯୋଗ ଓ ପାରସ୍ପରିକ ସମ୍ମାନ ଯୋଗୁଁ ଏହି ସମାଧାନ ସମ୍ଭବ ହୋଇଛି ବୋଲି ମୋହନ ମାଝୀ କହିଛନ୍ତି। ଏହା ଦୁଇ ରାଜ୍ୟ ମଧ୍ୟରେ ସାଂସ୍କୃତିକ ସମ୍ପର୍କ ଓ ସଦ୍ଭାବକୁ ଆହୁରି ମଜବୁତ କରିବ ବୋଲି ଆଶା କରାଯାଉଛି।



