ରାହୁଲଙ୍କୁ ସୁପ୍ରିମକୋର୍ଟରୁ ଆଶ୍ୱସ୍ତି, ହାଇକୋର୍ଟକୁ ଫେରିଲା ମାମଲା

ଆୟ ବହିର୍ଭୂତ ସମ୍ପତ୍ତି ଅଭିଯୋଗ ମାମଲାରେ କଂଗ୍ରେସ ନେତା ତଥା ଲୋକସଭା ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କୁ ସୁପ୍ରିମକୋର୍ଟରୁ ଆଶ୍ୱସ୍ତି ମିଳିଛି। ବୁଧବାର ମୁଖ୍ୟ ବିଚାରପତି ସୂର୍ଯ୍ୟକାନ୍ତଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ଆଲ୍ଲାହାବାଦ ହାଇକୋର୍ଟଙ୍କ ଲକ୍ଷ୍ନୌ ଖଣ୍ଡପୀଠର ପୂର୍ବ ନିର୍ଦ୍ଦେଶକୁ ରଦ୍ଦ କରିଛନ୍ତି। ଏଥିସହ ମାମଲାର ପୁନଃ ଶୁଣାଣି ପାଇଁ ଏହାକୁ ହାଇକୋର୍ଟକୁ ଫେରାଇ ଦେଇଛନ୍ତି।
ପୂର୍ବ ନିର୍ଦ୍ଦେଶରେ ସିବିଆଇ ଓ ଇଡିକୁ ରାହୁଲଙ୍କ ବିରୋଧରେ ଆସିଥିବା ଅଭିଯୋଗ ଯାଞ୍ଚ କରିବା ସହ ତଦନ୍ତର ପ୍ରଗତି ରିପୋର୍ଟ ଦାଖଲ କରିବାକୁ ହାଇକୋର୍ଟ କହିଥିଲେ। ତେବେ ସୁପ୍ରିମକୋର୍ଟ କହିଛନ୍ତି, ହାଇକୋର୍ଟ ଏବେ ଅଭିଯୋଗକାରୀଙ୍କ ଆବେଦନ ଆଇନଗତ ଭାବେ ବିଚାରଯୋଗ୍ୟ କି ନୁହେଁ, ତାହା ସମେତ ସମସ୍ତ ପ୍ରସଙ୍ଗର ପୁନଃ ବିଚାର କରିବେ। ଏହି ପ୍ରକ୍ରିୟାରେ ରାହୁଲ ଗାନ୍ଧୀଙ୍କ ପକ୍ଷ ମଧ୍ୟ ଶୁଣାଯିବ।
କର୍ଣ୍ଣାଟକର ବିଜେପି କର୍ମୀ ଏସ୍. ଭିଗ୍ନେଶ ଶିଶିର ଏହି ଆବେଦନ ଦାଖଲ କରିଥିଲେ। ରାହୁଲ ଓ ତାଙ୍କ ପରିବାର ସଦସ୍ୟଙ୍କ ନିକଟରେ ଆୟର ଜଣାଶୁଣା ଉତ୍ସଠାରୁ ଅଧିକ ସମ୍ପତ୍ତି ଥିବା ଏବଂ ବିଦେଶ ଗସ୍ତରେ କୋଟି କୋଟି ଟଙ୍କା ଖର୍ଚ୍ଚ ହୋଇଥିବା ସେ ଅଭିଯୋଗ କରିଥିଲେ।
ଉଲ୍ଲେଖଯୋଗ୍ୟ, ଗତ ମେ’ ୧୨ ତାରିଖରେ ହାଇକୋର୍ଟ ସିବିଆଇ ଓ ଇଡିକୁ ଅଭିଯୋଗ ଯାଞ୍ଚ କରିବାକୁ କହିଥିଲେ। ପରେ ଜୁଲାଇ ୨୦ରେ ସିବିଆଇର ଜବାବରେ ଅସନ୍ତୋଷ ପ୍ରକାଶ କରି ତଦନ୍ତର ସ୍ଥିତି ନେଇ ନୂଆ ସତ୍ୟପାଠ ମାଗିଥିଲେ।



