ନଭେମ୍ବର ୨୬ରେ ଦିଲ୍ଲୀରେ ପାଳନ ହେବ ସମ୍ବିଧାନ ଦିବସ

ନୂଆଦିଲ୍ଲୀ: ଆସନ୍ତା ନଭେମ୍ବର ୨୬ ତାରିଖରେ ଦେଶବ୍ୟାପୀ ପାଳନ ହେବ ସମ୍ବିଧାନ ଦିବସ। ଏହି ଅବସରରେ ଦିଲ୍ଲୀର ଆମ୍ବେଦକର ଇଣ୍ଟରନ୍ୟାସନାଲ ସେଣ୍ଟରରେ ଏକ ସ୍ୱତନ୍ତ୍ର ସମାରୋହ ଆୟୋଜିତ ହେବ। କେନ୍ଦ୍ର ସାମାଜିକ ନ୍ୟାୟ ଓ ସଶକ୍ତୀକରଣ ମନ୍ତ୍ରୀ ବୀରେନ୍ଦ୍ର କୁମାର ଏହି କାର୍ଯ୍ୟକ୍ରମର ନେତୃତ୍ୱ ନେବେ। ଡକ୍ଟର ଆମ୍ବେଦକର ଫାଉଣ୍ଡେସନ ପକ୍ଷରୁ ଏହାର ଆୟୋଜନ କରାଯାଉଛି।
ସମାରୋହରେ ସୁପ୍ରିମକୋର୍ଟର ପୂର୍ବତନ ପ୍ରଧାନ ବିଚାରପତି ଜଷ୍ଟିସ୍ ଉଦୟ ଉମେଶ ଲଳିତ ସମ୍ବିଧାନର ପ୍ରସ୍ତାବନା ପାଠ କରିବେ। ଏଥିସହ ‘ସାମ୍ବିଧାନିକ ଶାସନ ଓ ଆମ୍ବେଦକରଙ୍କ ଐତିହ୍ୟ’ ଶୀର୍ଷକରେ ବକ୍ତୃତା ମଧ୍ୟ ପ୍ରଦାନ କରିବେ।
ଚଳିତବର୍ଷ ସମାରୋହର ବିଷୟବସ୍ତୁ ରହିଛି ‘ସମ୍ବିଧାନ @୭୬: ଆମ୍ବେଦକରଙ୍କ ସାମ୍ବିଧାନିକ ଦୃଷ୍ଟିକୋଣ ଓ ଭାରତୀୟ ଗଣତନ୍ତ୍ରର ଭବିଷ୍ୟତ’। କାର୍ଯ୍ୟକ୍ରମରେ କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ରାମଦାସ ଆଠୱାଲେ ଓ ବି.ଏଲ୍. ବର୍ମାଙ୍କ ସମେତ ବହୁ ଶିକ୍ଷାବିତ୍, ଗବେଷକ ଓ ଅଧିକାରୀ ଯୋଗଦେବେ। ସମ୍ବିଧାନର ମୂଳ ଆଦର୍ଶ, ସାମାଜିକ ନ୍ୟାୟ ଏବଂ ଗଣତାନ୍ତ୍ରିକ ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବା ନେଇ ଆଲୋଚନା ହେବ।
ଉଲ୍ଲେଖଯୋଗ୍ୟ, ୧୯୪୯ ନଭେମ୍ବର ୨୬ରେ ଭାରତୀୟ ସମ୍ବିଧାନ ଗୃହୀତ ହୋଇଥିବାବେଳେ ୧୯୫୦ ଜାନୁଆରୀ ୨୬ରୁ ଏହା କାର୍ଯ୍ୟକାରୀ ହୋଇଥିଲା।



