ବାଲିଯାତ୍ରା ଉଦ୍ଘାଟନ କରିବେ ରାଷ୍ଟ୍ରପତି, ଭୁବନେଶ୍ୱରରେ ପହଞ୍ଚିଲେ ମୁର୍ମୁ

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଭୁବନେଶ୍ୱରରେ ପହଞ୍ଚିଛନ୍ତି। ବାୟୁସେନାର ସ୍ୱତନ୍ତ୍ର ବିମାନରେ ଆସି ବିମାନବନ୍ଦରରେ ଅବତରଣ କରିବା ପରେ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ ତାଙ୍କୁ ସ୍ୱାଗତ କରିଥିଲେ। ଆଜି ଅପରାହ୍ନରେ ସେ କଟକର ପ୍ରସିଦ୍ଧ ବାଲିଯାତ୍ରା ମହୋତ୍ସବର ଶୁଭାରମ୍ଭ କରିବେ।

ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁସାରେ, ଅପରାହ୍ନ ୫ଟାରେ ରାଷ୍ଟ୍ରପତି ମହୋତ୍ସବକୁ ଉଦ୍ଘାଟନ କରିବେ। ଏଥିରେ ରାଜ୍ୟପାଳ ବ୍ରଜମୋହନ ରାମ ଓ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉପସ୍ଥିତ ରହିବେ। କଡ଼ା ସୁରକ୍ଷା ମଧ୍ୟରେ ସଡ଼କପଥରେ କଟକ ଯିବା ପରେ ସେ ସିଲଭର ସିଟି ବୋଟ୍ କ୍ଲବ୍ରୁ ‘କଳିଙ୍ଗ ତରଙ୍ଗିଣୀ’ ନୌକାରେ ବାଲିଯାତ୍ରା ପଡ଼ିଆରେ ପହଞ୍ଚିବେ। ଏହି ନୌକାରେ ରାଷ୍ଟ୍ରପତିଙ୍କ ସମେତ ୧୫ ଜଣଙ୍କ ପାଇଁ ବସିବା ବ୍ୟବସ୍ଥା ହୋଇଛି।
ସେଠାରେ ‘କଟକ ଇନ୍ କଟକ’ ପରିସରରେ କଟକ ମହାନଗର ନିଗମର ୧୫୦ ବର୍ଷ ପୂର୍ତ୍ତି ସମାରୋହକୁ ଉଦ୍ଘାଟନ କରିବେ। ପରେ ଓର୍ମାସ ପରିଦର୍ଶନ କରି ଗଣକବି ବୈଷ୍ଣବ ପାଣି ମଞ୍ଚରେ ବାଲିଯାତ୍ରାର ଶୁଭାରମ୍ଭ କରିବେ। ଆସନ୍ତାକାଲି ରାଷ୍ଟ୍ରପତି ଅଭିନ୍ନଚନ୍ଦ୍ର ହୋମିଓପ୍ୟାଥି କଲେଜର ସମାବର୍ତ୍ତନ ଉତ୍ସବରେ ଯୋଗଦେବେ।



