Breaking PLUSଓଡ଼ିଶାକଳା ସଂସ୍କୃତି ଓ ସାହିତ୍ୟଦୁର୍ଘଟଣାମନୋରଞନମୁଖ୍ୟ ଖବର

ହାତୀ ଆକ୍ରମଣରେ ମାହୁନ୍ତ ମୃତ, ବଙ୍ଗୋମୁଣ୍ଡା ଧନୁଯାତ୍ରା ସ୍ଥଗିତ

ବଲାଙ୍ଗିର: ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ଧନୁଯାତ୍ରା ମହୋତ୍ସବରେ ଅଘଟଣ। ହାତୀ ଆକ୍ରମଣରେ ଜଣେ ମାହୁନ୍ତଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଉତ୍ତରପ୍ରଦେଶର ଆହ୍ଲାବାଦ ଅଞ୍ଚଳର କଳ୍ପନା ଦୁବେ। ଏହି ଘଟଣା ପରେ ୪୦ତମ ବଙ୍ଗୋମୁଣ୍ଡା ଧନୁଯାତ୍ରା ମହୋତ୍ସବକୁ ସ୍ଥଗିତ ରଖିବାକୁ ଟିଟିଲାଗଡ଼ ଉପଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି।

ଧନୁଯାତ୍ରାରେ ମହାରାଜ କଂସ ହାତୀ ପିଠିରେ ବସି ନଗର ପରିକ୍ରମା କରିବା ସହ ମଞ୍ଚକୁ ଆସିଥାନ୍ତି। ଏଥିପାଇଁ ହାତୀ ସହ ଆହ୍ଲାବାଦରୁ ଆସିଥିଲେ ମାହୁନ୍ତ କଳ୍ପନା ଦୁବେ। ତେବେ ହଠାତ୍ ହାତୀଟି ତାଙ୍କୁ ଆକ୍ରମଣ କରିଥିଲା। ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ ବଙ୍ଗୋମୁଣ୍ଡା ଡାକ୍ତରଖାନା ଓ ପରେ କଣ୍ଟାବାଞ୍ଜି ଡାକ୍ତରଖାନାକୁ ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ଘଟଣାକୁ ନେଇ ବନ ବିଭାଗ ଓ ବଙ୍ଗୋମୁଣ୍ଡା ପୁଲିସ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି। ଅନ୍ୟପକ୍ଷରେ ମାହୁନ୍ତଙ୍କ ମୃତ୍ୟୁ ପରେ ଜନସାଧାରଣଙ୍କ ସୁରକ୍ଷା ଓ ଆଇନଶୃଙ୍ଖଳା ସ୍ଥିତିକୁ ଦୃଷ୍ଟିରେ ରଖି ଧନୁଯାତ୍ରାକୁ ସ୍ଥଗିତ ରଖିବାକୁ ଉପଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ଏନେଇ ବଙ୍ଗୋମୁଣ୍ଡା ତହସିଲଦାର, ଥାନା ଅଧିକାରୀ ଓ ସମ୍ପୃକ୍ତ ଅଧିକାରୀଙ୍କୁ ଚିଠି ଜାରି କରାଯାଇଛି। ପରବର୍ତ୍ତୀ ନିର୍ଦ୍ଦେଶ ନ ଆସିବା ପର୍ଯ୍ୟନ୍ତ ମହୋତ୍ସବ ବନ୍ଦ ରହିବ।

Show More

Related Articles

Back to top button