ମୋଦି ଓ ମୁର୍ମୁଙ୍କୁ ସ୍ୱତନ୍ତ୍ର ଉପହାର ଦେବେ ନେପାଳ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଦୁଇ ଦିନିଆ ଭାରତ ଗସ୍ତରେ ଆସିଛନ୍ତି ନେପାଳର ପ୍ରଧାନମନ୍ତ୍ରୀ ବାଲେନ୍ଦ୍ର ‘ବାଲେନ’ ଶାହ। ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ ପରେ ଏହା ତାଙ୍କର ପ୍ରଥମ ଭାରତ ଗସ୍ତ ସହ ପ୍ରଥମ ବିଦେଶ ଗସ୍ତ। ଏହି ଅବସରରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ନେପାଳର ଐତିହ୍ୟ ଓ ସଂସ୍କୃତି ସହ ଜଡ଼ିତ ଦୁଇଟି ସ୍ୱତନ୍ତ୍ର ମୂର୍ତ୍ତି ଉପହାର ଦେବେ।
ସୂଚନା ଅନୁଯାୟୀ, ମୋଦିଙ୍କୁ ଶାହ ‘ରାତୋ ମଚ୍ଛିନ୍ଦ୍ରନାଥ’ଙ୍କ ମୂର୍ତ୍ତି ଉପହାର ଦେବେ। ନେପାଳର ଧାର୍ମିକ ଓ ସାଂସ୍କୃତିକ ପରିଚୟ ସହ ଏହି ଦେବତାଙ୍କ ଗଭୀର ସମ୍ପର୍କ ରହିଛି। ବିଶେଷକରି କାଠମାଣ୍ଡୁ ଉପତ୍ୟକାରେ ତାଙ୍କୁ ପ୍ରମୁଖ ଦେବତା ଭାବେ ପୂଜା କରାଯାଏ। ପାରମ୍ପରିକ ବିଶ୍ୱାସ ଅନୁଯାୟୀ, ଲିଚ୍ଛବି ବଂଶର ରାଜା ନରେନ୍ଦ୍ର ଦେବ ତାଙ୍କୁ ବର୍ତ୍ତମାନର ଆସାମ ଅଞ୍ଚଳରୁ କାଠମାଣ୍ଡୁ ଉପତ୍ୟକାକୁ ଆଣିଥିଲେ।
ସେହିପରି ରାଷ୍ଟ୍ରପତି ମୁର୍ମୁଙ୍କୁ କାଠମାଣ୍ଡୁର ଚାବାହିଲସ୍ଥିତ ‘ଚାରୁମତୀ ବିହାର’ ସହ ଜଡ଼ିତ ଏକ ମୂର୍ତ୍ତି ପ୍ରଦାନ କରିବେ। ଏହି ବୌଦ୍ଧ ବିହାରର ଇତିହାସ ମୌର୍ଯ୍ୟ ସମ୍ରାଟ ଅଶୋକ ଓ ତାଙ୍କ କନ୍ୟା ଚାରୁମତୀଙ୍କ ସହ ସମ୍ପୃକ୍ତ। ପାରମ୍ପରିକ କାହାଣୀ ଅନୁସାରେ, ଚାରୁମତୀ ଏହି ବିହାର ସ୍ଥାପନ କରିଥିଲେ।
ପ୍ରଧାନମନ୍ତ୍ରୀ ମୋଦିଙ୍କ ନିମନ୍ତ୍ରଣ କ୍ରମେ ନଭେମ୍ବର ୨୨ ଓ ୨୩ ତାରିଖରେ ଶାହ ଭାରତ ଗସ୍ତ କରୁଛନ୍ତି। ଏହି ଗସ୍ତ ଦ୍ୱାରା ଦୁଇ ଦେଶ ମଧ୍ୟରେ ରହିଥିବା ଦ୍ୱିପାକ୍ଷିକ ସମ୍ପର୍କ ଓ ସହଯୋଗ ଆହୁରି ସୁଦୃଢ଼ ହେବ ବୋଲି ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଆଶା ପ୍ରକାଶ କରିଛି।
ଭାରତ ଓ ନେପାଳ ମଧ୍ୟରେ ଦୀର୍ଘଦିନର ସାଂସ୍କୃତିକ, ଐତିହାସିକ ଓ ସାମାଜିକ ସମ୍ପର୍କ ରହିଛି। ‘ରୋଟି-ବେଟି’ ସମ୍ପର୍କ ଭାବେ ପରିଚିତ ଏହି ଆତ୍ମୀୟତା ସହ ଦୁଇ ଦେଶର ବାଣିଜ୍ୟ ଓ ପରିବହନ କ୍ଷେତ୍ରରେ ମଧ୍ୟ ଘନିଷ୍ଠ ସହଯୋଗ ରହିଛି। ସ୍ଥଳବେଷ୍ଟିତ ଦେଶ ହୋଇଥିବାରୁ ନେପାଳ ଆମଦାନୀ, ବାଣିଜ୍ୟ ଓ ସମୁଦ୍ରପଥରେ ପହଞ୍ଚିବା ପାଇଁ ଭାରତ ଉପରେ ବିଶେଷ ଭାବେ ନିର୍ଭରଶୀଳ।



