
ରାଜ୍ୟରେ ବଢ଼ୁଥିବା ସାଇବର ଅପରାଧ ଉପରେ ଲଗାମ ଲଗାଇବାକୁ ବଡ଼ ପଦକ୍ଷେପ ନେଇଛନ୍ତି ରାଜ୍ୟ ସରକାର। ଅନଲାଇନ୍ ଆର୍ଥିକ ଠକେଇ ସମେତ ମହିଳା ଓ ଶିଶୁଙ୍କ ବିରୋଧରେ ହେଉଥିବା ସାଇବର ଅପରାଧର ମୁକାବିଲା ପାଇଁ ରାଜ୍ୟରେ ପ୍ରତିଷ୍ଠା ହେବ ‘ଓଡ଼ିଶା ସାଇବର କମାଣ୍ଡ ସେଣ୍ଟର’ (O3C)। ଏଥିପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୨୪୯.୩୯ କୋଟି ଟଙ୍କା ମଞ୍ଜୁର କରିଛନ୍ତି।
୨୦୨୬-୨୭ରୁ ୨୦୨୯-୩୦ ଆର୍ଥିକ ବର୍ଷ ପର୍ଯ୍ୟନ୍ତ ଏହି ଯୋଜନା କାର୍ଯ୍ୟକାରୀ ହେବ। ସାଇବର ଅପରାଧର ପ୍ରତିରୋଧ, ଚିହ୍ନଟ, ତଦନ୍ତ ଓ ନିୟନ୍ତ୍ରଣ କ୍ଷେତ୍ରରେ ଏହି ସେଣ୍ଟର ଏକ ବିଶେଷଜ୍ଞ ସଂସ୍ଥା ଭାବେ କାର୍ଯ୍ୟ କରିବ। ଏନେଇ ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ହେମନ୍ତ ଶର୍ମା ବିଧିବଦ୍ଧ ବିଜ୍ଞପ୍ତି ଜାରି କରିଛନ୍ତି।
ଏହି କମାଣ୍ଡ ସେଣ୍ଟରରେ ଚାରିଟି ପ୍ରମୁଖ ଶାଖା ରହିବ। ସେଗୁଡ଼ିକ ହେଲା ସାଇବର କ୍ରାଇମ୍ ମୁଖ୍ୟାଳୟ, ରାଜ୍ୟ ସାଇବର କ୍ରାଇମ୍ ପୋଲିସ ଷ୍ଟେସନ, ସାଇବର ରିସୋର୍ସ ସେଣ୍ଟର ଏବଂ ଏଆଇ ଆଧାରିତ ପ୍ରେଡିକ୍ଟିଭ୍ ପୋଲିସିଂ ଓ ଡାଟା ଆନାଲିଟିକ୍ସ ସେଣ୍ଟର।
ଏଆଇ ଓ ତଥ୍ୟ ବିଶ୍ଳେଷଣର ସହାୟତାରେ ସାଇବର ଅପରାଧର ଧାରା ଚିହ୍ନଟ କରିବା ସହ ନୂଆ ଧରଣର ଅନଲାଇନ୍ ଠକେଇର ମୁକାବିଲା କରାଯାଇପାରିବ। ଏହାଦ୍ୱାରା ସାଇବର ଅପରାଧର ତଦନ୍ତ ଅଧିକ ସୁଦୃଢ଼ ହେବା ସହ ଅପରାଧ ନିୟନ୍ତ୍ରଣରେ ପୋଲିସକୁ ସହାୟତା ମିଳିବ। କମାଣ୍ଡ ସେଣ୍ଟରର ସାଂଗଠନିକ ଢାଞ୍ଚା, କର୍ମଚାରୀ ନିଯୁକ୍ତି ଓ କାର୍ଯ୍ୟପଦ୍ଧତି ସମ୍ପର୍କିତ ବିସ୍ତୃତ ନିୟମାବଳୀ ପରବର୍ତ୍ତୀ ସମୟରେ ଗୃହ ବିଭାଗ ପକ୍ଷରୁ ଜାରି କରାଯିବ।



