
ଭୁବନେଶ୍ୱର: ଜାତୀୟ ସୁରକ୍ଷା ଗାର୍ଡ (ଏନ୍ଏସ୍ଜି) କମାଣ୍ଡୋ ଭାବେ ସଫଳତା ହାସଲ କରି ଓଡ଼ିଶା ପୋଲିସ ପାଇଁ ଗୌରବ ଆଣିଛନ୍ତି ରାଜ୍ୟର ତିନି ମହିଳା କନଷ୍ଟେବଳ। ସେମାନେ ହେଲେ ଅନିଷା ସିଂହ, ପିଙ୍କି ସାହୁ ଓ ରାମେଶ୍ରୀ ହାଲଦା।
ଏନ୍ଏସ୍ଜି କମାଣ୍ଡୋ ହେବା ପାଇଁ ଓଡ଼ିଶା ପୋଲିସର ବହୁ ମହିଳା କନଷ୍ଟେବଳ ଆବେଦନ କରିଥିଲେ। ତେବେ କଠିନ ଚୟନ ପ୍ରକ୍ରିୟାରେ ମାତ୍ର ୫ ଜଣ ମନୋନୀତ ହୋଇଥିଲେ। ଏଥିମଧ୍ୟରୁ ତିନି ଜଣ ମହିଳା କମାଣ୍ଡୋ କନଭର୍ସନ୍ କୋର୍ସ (ଏମ୍ସିସିସି) ସଫଳତାର ସହ ଶେଷ କରି ଏନ୍ଏସ୍ଜିରେ ସାମିଲ ହୋଇଛନ୍ତି।
କଠିନ ପ୍ରଶିକ୍ଷଣ ଓ ଚୟନ ପ୍ରକ୍ରିୟାରେ ସଫଳ ହୋଇ ତିନି ମହିଳା ନିଜର ଦକ୍ଷତା, ସାହସ ଓ ନିଷ୍ଠାର ପରିଚୟ ଦେଇଛନ୍ତି। ସେମାନଙ୍କ ଏହି ସଫଳତା ଅନ୍ୟ ମହିଳା ପୋଲିସ କର୍ମଚାରୀଙ୍କ ପାଇଁ ମଧ୍ୟ ପ୍ରେରଣାଦାୟକ ହେବ। ଏହି ଉପଲବ୍ଧି ପାଇଁ ପୋଲିସ ଡିଜି ବିନୟତୋଷ ମିଶ୍ର ତିନି ମହିଳାଙ୍କୁ ଅଭିନନ୍ଦନ ଜଣାଇଛନ୍ତି।



