‘ନୀତୀଶ ସେତୁ’ ଲୋକାର୍ପିତ, ବିହାରକୁ ୩୪ ହଜାର କୋଟିର ପ୍ରକଳ୍ପ ଭେଟିଲେ ମୋଦି

ବିହାର: ଗଙ୍ଗା ନଦୀ ଉପରେ ନିର୍ମିତ ଦେଶର ଦୀର୍ଘତମ ନଦୀ ସେତୁ ‘ନୀତୀଶ ସେତୁ’ର ଶନିବାର ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ୧୯.୭୬ କିଲୋମିଟର ଲମ୍ବ ଏହି ସେତୁ ପାଟନାର କଚ୍ଚି ଦର୍ଗାକୁ ବୈଶାଳୀ ଜିଲ୍ଲାର ରାଘୋପୁର ଓ ବିଦୁପୁର ସହ ଯୋଡ଼ିଛି। ଏହାଦ୍ୱାରା ବିହାରର ଉତ୍ତର ଓ ଦକ୍ଷିଣ ଭାଗ ମଧ୍ୟରେ ଯୋଗାଯୋଗ ବ୍ୟବସ୍ଥା ଅଧିକ ସୁଗମ ହେବ।
ସେତୁ ଉଦ୍ଘାଟନ ସହ ରାଜ୍ୟକୁ ୩୪ ହଜାର କୋଟି ଟଙ୍କାରୁ ଊର୍ଦ୍ଧ୍ୱ ମୂଲ୍ୟର ୨୨୭ଟି ବିକାଶ ପ୍ରକଳ୍ପ ଭେଟି ଦେଇଛନ୍ତି ମୋଦି। ଏଥିମଧ୍ୟରେ ବକ୍ସର ତାପଜ ବିଦ୍ୟୁତ୍ ପ୍ରକଳ୍ପର ଦ୍ୱିତୀୟ ୟୁନିଟ୍, ୧୦୬ଟି ସ୍ୱାସ୍ଥ୍ୟକେନ୍ଦ୍ର, ୧୦୦ଟି ଇଲେକ୍ଟ୍ରିକ୍ ବସ୍ ଏବଂ ପାଟନା ଓ ଗୟାରେ କୃଷି ବଜାରର ଶୁଭାରମ୍ଭ ଆଦି ରହିଛି।
ବୈଶାଳୀରେ ଆୟୋଜିତ ଜନସଭାରେ ମୋଦି କଂଗ୍ରେସକୁ କଡ଼ା ସମାଲୋଚନା କରିଥିଲେ। ଦୀର୍ଘ ବର୍ଷ ଧରି ‘ଗରିବୀ ହଟାଓ’ ସ୍ଲୋଗାନ ଦେଇ କଂଗ୍ରେସ ଗରିବଙ୍କୁ ଭ୍ରମିତ କରିଥିବା ସେ ଅଭିଯୋଗ କରିଥିଲେ। ଏହାର ବିପରୀତରେ ଏନଡିଏ ସରକାର ପ୍ରାୟ ୧୨ ବର୍ଷ ମଧ୍ୟରେ ୫୦ କୋଟି ଲୋକଙ୍କୁ ଦାରିଦ୍ର୍ୟରୁ ମୁକ୍ତ କରିଥିବା ଦାବି କରିଥିଲେ।
ବିହାରରେ ୪୩ ଲକ୍ଷ ପରିବାରକୁ ପକ୍କା ଘର ଯୋଗାଇ ଦିଆଯାଇଥିବାବେଳେ ଆଉ ୧୧ ଲକ୍ଷ ଘରକୁ ଅନୁମୋଦନ ମିଳିଥିବା ସେ କହିଥିଲେ। ପିଏମ୍ କିଷାନ ଯୋଜନାରେ ୭୫ ଲକ୍ଷ ଚାଷୀ ଏବଂ ସ୍ୱୟଂ ସହାୟକ ଗୋଷ୍ଠୀ ଜରିଆରେ ୫୦ ଲକ୍ଷ ମହିଳା ଉପକୃତ ହୋଇଥିବା ମଧ୍ୟ ଉଲ୍ଲେଖ କରିଥିଲେ।
ଏଥିସହ ପୂର୍ବତନ ଆରଜେଡି ସରକାରଙ୍କ ଶାସନକାଳରେ ଦୁର୍ନୀତି ଓ ବିକାଶ ପ୍ରତି ଅବହେଳା ହୋଇଥିବା ଅଭିଯୋଗ ଆଣିଥିଲେ। ଅନ୍ୟପକ୍ଷରେ ବିହାରର ବିକାଶରେ ନୀତୀଶ କୁମାରଙ୍କ ଅବଦାନକୁ ପ୍ରଶଂସା କରିବା ସହ ମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀ ତାଙ୍କ ମାର୍ଗଦର୍ଶନରେ ଏହି ବିକାଶ ଧାରାକୁ ଆଗକୁ ବଢ଼ାଉଥିବା କହିଥିଲେ।
ଏହାବ୍ୟତୀତ ପାଟନା ଉପକଣ୍ଠରେ ବର୍ଜ୍ୟବସ୍ତୁରୁ ବିଦ୍ୟୁତ୍ ଉତ୍ପାଦନ ପାଇଁ ଏକ ପ୍ଲାଣ୍ଟର ଶିଳାନ୍ୟାସ କରିଥିଲେ। ଏହି ପ୍ଲାଣ୍ଟରେ ଦୈନିକ ୧,୬୦୦ ଟନ୍ରୁ ଅଧିକ ବର୍ଜ୍ୟବସ୍ତୁ ପରିଚାଳନା ସହ ୧୫ ମେଗାୱାଟ୍ ବିଦ୍ୟୁତ୍ ଉତ୍ପାଦନ ହୋଇପାରିବ।



