Breaking PLUSଓଡ଼ିଶାଦେଶମୁଖ୍ୟ ଖବରରାଜନୀତି

ପିଏମ୍‌ ସ୍ୱନିଧି ପୁରସ୍କାର: ଓଡ଼ିଶାକୁ ଜାତୀୟ ସ୍ତରରେ ତୃତୀୟ ସ୍ଥାନ

ଭୁବନେଶ୍ୱର: ପିଏମ୍‌ ସ୍ୱନିଧି ଯୋଜନାର କାର୍ଯ୍ୟକାରିତା ଓ ଦ୍ରୁତ ଅଗ୍ରଗତି ପାଇଁ ଓଡ଼ିଶାକୁ ଜାତୀୟ ସ୍ତରରେ ସ୍ୱୀକୃତି ମିଳିଛି। ‘ବେଷ୍ଟ ପରଫର୍ମିଂ–ଫାଷ୍ଟେଷ୍ଟ ମୁଭର’ ବର୍ଗରେ ରାଜ୍ୟ ତୃତୀୟ ସ୍ଥାନ ହାସଲ କରି ପିଏମ୍‌ ସ୍ୱନିଧି ସମ୍ମାନ ପୁରସ୍କାର-୨୦୨୬ ପାଇଛି।

ନୂଆଦିଲ୍ଲୀର ଡକ୍ଟର ଆମ୍ବେଦକର ଇଣ୍ଟରନ୍ୟାସନାଲ୍‌ ସେଣ୍ଟରରେ ଆୟୋଜିତ ସମାରୋହରେ କେନ୍ଦ୍ର ଗୃହ ନିର୍ମାଣ ଓ ସହରାଞ୍ଚଳ ବ୍ୟାପାର ମନ୍ତ୍ରୀ ମନୋହର ଲାଲ ଏବଂ ରାଷ୍ଟ୍ରମନ୍ତ୍ରୀ ତୋଖନ ସାହୁ ପୁରସ୍କାର ପ୍ରଦାନ କରିଥିଲେ। ଓଡ଼ିଶା ସରକାରଙ୍କ ପକ୍ଷରୁ ବିଭାଗୀୟ ଅତିରିକ୍ତ ସଚିବ ସୁଶାନ୍ତ ସିଂହ ଏହାକୁ ଗ୍ରହଣ କରିଥିଲେ।

୨୦୨୫ ସେପ୍ଟେମ୍ବର ୧ରୁ ୨୦୨୬ ଅଗଷ୍ଟ ୩୧ ପର୍ଯ୍ୟନ୍ତ ଯୋଜନାର କାର୍ଯ୍ୟକାରିତାକୁ ଆଧାର କରି ଏହି ପୁରସ୍କାର ଦିଆଯାଇଛି। ରାସ୍ତାକଡ଼ ବ୍ୟବସାୟୀଙ୍କୁ ବିନା ବନ୍ଧକରେ ଋଣ ପ୍ରଦାନ, ଡିଜିଟାଲ୍‌ କାରବାରକୁ ପ୍ରୋତ୍ସାହନ ଏବଂ ସେମାନଙ୍କ ପରିବାରକୁ ବିଭିନ୍ନ କଲ୍ୟାଣକାରୀ ଯୋଜନା ସହ ଯୋଡ଼ିବା କ୍ଷେତ୍ରରେ ରାଜ୍ୟର ଅଗ୍ରଗତି ଏହି ସମ୍ମାନର ଆଧାର ହୋଇଛି।

ରାଜ୍ୟ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡ. କୃଷ୍ଣଚନ୍ଦ୍ର ମହାପାତ୍ର ଏହି ସମ୍ମାନକୁ ରାସ୍ତାକଡ଼ ବ୍ୟବସାୟୀଙ୍କ ପରିଶ୍ରମର ସ୍ୱୀକୃତି ବୋଲି କହିଛନ୍ତି। ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଉଷା ପାଢ଼ୀ ମଧ୍ୟ ଏହାକୁ ସହରାଞ୍ଚଳ ସଂସ୍ଥା, ବ୍ୟାଙ୍କ ଓ କ୍ଷେତ୍ରସ୍ତରୀୟ କର୍ମଚାରୀଙ୍କ ସମନ୍ୱିତ ପ୍ରୟାସର ଫଳ ବୋଲି ଅଭିହିତ କରିଛନ୍ତି।

୨୦୨୦ ଜୁନ୍‌ ୧ରେ ଆରମ୍ଭ ହୋଇଥିବା ଏହି ଯୋଜନାରେ ଏପର୍ଯ୍ୟନ୍ତ ପ୍ରାୟ ୮୧ ଲକ୍ଷ ରାସ୍ତାକଡ଼ ବ୍ୟବସାୟୀଙ୍କୁ ୧.୨୧ କୋଟିରୁ ଅଧିକ ଋଣ ମଞ୍ଜୁର ହୋଇଛି। ଏହାର ମୋଟ ମୂଲ୍ୟ ପ୍ରାୟ ୨୦ ହଜାର କୋଟି ଟଙ୍କା ବୋଲି ଜାରି ସୂଚନାରେ ଉଲ୍ଲେଖ ରହିଛି।

Show More

Related Articles

Back to top button