ଉପକୂଳ ସୁରକ୍ଷା ପାଇଁ ନୂଆ ବ୍ୟବସ୍ଥା, କ୍ୟାମେରା ରଖିବ ସମୁଦ୍ର ଉପରେ ନଜର

ଓଡ଼ିଶାର ଉପକୂଳ ସୁରକ୍ଷା ଓ ବିପର୍ଯ୍ୟୟ ମୁକାବିଲା ବ୍ୟବସ୍ଥାକୁ ଆଧୁନିକ କରିବାକୁ ଯୋଜନା କରିଛନ୍ତି ରାଜ୍ୟ ସରକାର। ଏଣିକି ଭିଡିଓ କ୍ୟାମେରା ମାଧ୍ୟମରେ ସମୁଦ୍ର ଓ ବେଳାଭୂମିର ଗତିବିଧି ଉପରେ ରଖାଯିବ ନିରନ୍ତର ନଜର। ଏହାଦ୍ୱାରା ସାମୁଦ୍ରିକ ଝଡ଼, ଉଚ୍ଚ ଜୁଆର ଏବଂ ଅନ୍ୟ ସମ୍ଭାବ୍ୟ ବିପଦ ସମ୍ପର୍କରେ ଆଗୁଆ ସୂଚନା ମିଳିବା ସହ ଲୋକଙ୍କୁ ସତର୍କ କରାଯାଇପାରିବ।
ଏଥିପାଇଁ ଭିଡିଓ କ୍ୟାମେରା ଆଧାରିତ ସ୍ୱୟଂଚାଳିତ ବେଳାଭୂମି ନିରୀକ୍ଷଣ ବ୍ୟବସ୍ଥା ଲାଗୁ କରାଯିବ। ଏହି ବ୍ୟବସ୍ଥା ଉପକୂଳର ପରିବର୍ତ୍ତିତ ସ୍ଥିତି ଓ ସମୁଦ୍ରର ଗତିବିଧି ଉପରେ ନଜର ରଖିବ। ଫଳରେ ବିପଦର ଆଶଙ୍କା ଦେଖାଦେଲେ ତୁରନ୍ତ ଆବଶ୍ୟକ ପଦକ୍ଷେପ ନେବା ସମ୍ଭବ ହେବ। ଏହା ଉପକୂଳବାସୀଙ୍କ ଜୀବନ ଓ ଜୀବିକାର ସୁରକ୍ଷାରେ ସହାୟକ ହେବ।
ସେହିପରି ଓଡ଼ିଶାରେ ଜାତୀୟ ମହାସାଗର ସୂଚନା କେନ୍ଦ୍ର (INCOIS)ର ଏକ ଆଞ୍ଚଳିକ କେନ୍ଦ୍ର ସ୍ଥାପନ କରାଯିବ। ଏନେଇ ରାଜ୍ୟ ସରକାର ଓ INCOIS ମଧ୍ୟରେ ଖୁବ୍ଶୀଘ୍ର ଚୁକ୍ତି ସ୍ୱାକ୍ଷର ହେବାକୁ ଯାଉଛି। କେନ୍ଦ୍ରଟି କାର୍ଯ୍ୟକ୍ଷମ ହେଲେ ସାମୁଦ୍ରିକ ତଥ୍ୟ ସଂଗ୍ରହ, ପାଣିପାଗ ସମ୍ପର୍କିତ ଅଧ୍ୟୟନ ଓ ମହାସାଗରୀୟ ଗବେଷଣାକୁ ଅଧିକ ଗତି ମିଳିବ।
କ୍ୟାମେରା ଆଧାରିତ ନିରୀକ୍ଷଣ ଓ ବୈଜ୍ଞାନିକ ତଥ୍ୟର ସମନ୍ୱୟ ଦ୍ୱାରା ଓଡ଼ିଶାର ବିପର୍ଯ୍ୟୟ ପରିଚାଳନା ବ୍ୟବସ୍ଥା ଅଧିକ ସୁଦୃଢ଼ ହେବା ସହ ଉପକୂଳ ଅଞ୍ଚଳରେ ସମ୍ଭାବ୍ୟ କ୍ଷୟକ୍ଷତି ହ୍ରାସ କରିବାରେ ସହାୟତା ମିଳିବ।



