ବିବାହ ଉତ୍ସବରେ ନାଚୁଥିବା ବେଳେ ଟଳିପଡ଼ିଲେ ସେନା କର୍ମଚାରୀ

ବିବାହ ଉତ୍ସବରେ ହସଖୁସିର ମାହୋଲ ହଠାତ୍ ଶୋକରେ ବଦଳିଗଲା। ଡିଜେ ଗୀତର ତାଳେ ପତ୍ନୀଙ୍କ ସହ ନାଚୁଥିବା ବେଳେ ହୃଦ୍ଘାତରେ ଜଣେ ଭାରତୀୟ ସେନା କର୍ମଚାରୀଙ୍କ ମୃତ୍ୟୁ ହୋଇଛି। ଉତ୍ତରପ୍ରଦେଶର ସାହାରନପୁର ଜିଲ୍ଲାରେ ଘଟିଛି ଏହି ଦୁଃଖଦ ଘଟଣା। ମୃତକ ହେଉଛନ୍ତି ୩୨ ବର୍ଷୀୟ ଦୁଷ୍ୟନ୍ତ କୁମାର।
ସୂଚନା ଅନୁଯାୟୀ, ଦୁଷ୍ୟନ୍ତ ଭାରତୀୟ ସେନାରେ କିରାଣି ଭାବେ କାର୍ଯ୍ୟ କରୁଥିଲେ। ସମ୍ପର୍କୀୟ ଭାଇଙ୍କ ବିବାହରେ ଯୋଗଦେବାକୁ ନଭେମ୍ବର ୫ରେ ଛୁଟି ନେଇ ଘରକୁ ଆସିଥିଲେ। ମଙ୍ଗଳବାର ରାତିରେ ନାଗଲ ଅଞ୍ଚଳର ପନିୟାଲି କାସିମପୁର ଗାଁସ୍ଥିତ ଏକ ବ୍ୟାଙ୍କ୍ୱେଟ୍ ହଲ୍ରେ ବିବାହ ଉତ୍ସବ ଚାଲିଥିଲା। ରାତି ପ୍ରାୟ ୨ଟା ୩୦ରେ ବରଯାତ୍ରୀଙ୍କ ଘୋଡ଼ାଚଢ଼ି କାର୍ଯ୍ୟକ୍ରମ ଚାଲିଥିବା ସମୟରେ ସେ ପତ୍ନୀଙ୍କ ସହ ଡିଜେରେ ନାଚୁଥିଲେ। ହଠାତ୍ ଛାତିରେ ଯନ୍ତ୍ରଣା ହେବାରୁ ସେ ତଳେ ପଡ଼ିଯାଇଥିଲେ।
ପରିବାର ଲୋକେ ତାଙ୍କୁ ତୁରନ୍ତ ନିକଟସ୍ଥ ସିଏଚ୍ସିକୁ ନେଇଥିଲେ। ପରେ ଗୁରୁତର ଅବସ୍ଥାରେ ଜିଲ୍ଲା ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲେ ମଧ୍ୟ ଚିକିତ୍ସାଧୀନ ଅବସ୍ଥାରେ ଦୁଷ୍ୟନ୍ତଙ୍କ ମୃତ୍ୟୁ ହୋଇଥିଲା। ହୃଦ୍ଘାତ ଯୋଗୁଁ ତାଙ୍କର ମୃତ୍ୟୁ ହୋଇଥିବା ଡାକ୍ତର କହିଥିବା ଜଣାପଡ଼ିଛି।
ଦୁଷ୍ୟନ୍ତ ବାପା-ମାଆଙ୍କ ଏକମାତ୍ର ପୁଅ ଥିଲେ। ପାଞ୍ଚ ବର୍ଷ ପୂର୍ବେ ତାଙ୍କ ବିବାହ ହୋଇଥିଲା, ହେଲେ ସନ୍ତାନ ନଥିଲେ। ତାଙ୍କ ଅକାଳ ମୃତ୍ୟୁରେ ପତ୍ନୀଙ୍କ ସମେତ ପରିବାରବର୍ଗ ଭାଙ୍ଗିପଡ଼ିଛନ୍ତି।
ନାଗଲ ଥାନା ଅଧିକାରୀ ରାଧେଶ୍ୟାମ ଯାଦବଙ୍କ କହିବାନୁସାରେ, ମୃତକଙ୍କ ଦାଦାଙ୍କ ଅଭିଯୋଗ ପରେ ପୋଲିସ ପଞ୍ଚନାମା କରି ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇଛି। ଘଟଣାରେ ଆବଶ୍ୟକ ଆଇନଗତ ପ୍ରକ୍ରିୟା ଜାରି ରହିଛି।



