ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ମିଜୋରାମ ଗସ୍ତ ପାଇଁ ପ୍ରସ୍ତୁତି ଜୋରଦାର
ଟ୍ରାଫିକ୍ କଟକଣା ଲାଗୁ

ଆଇଜଲ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଆଗାମୀ ମିଜୋରାମ ଗସ୍ତକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ନଭେମ୍ବର ୨୮ରୁ ୩୦ ତାରିଖ ପର୍ଯ୍ୟନ୍ତ ତିନିଦିନିଆ ଗସ୍ତରେ ଯାଇ ରାଷ୍ଟ୍ରପତି ଆଇଜଲ ଉପକଣ୍ଠ ତାନ୍ହ୍ରିଲ୍ସ୍ଥିତ ମିଜୋରାମ ବିଶ୍ୱବିଦ୍ୟାଳୟର ୨୧ତମ ସମାବର୍ତ୍ତନ ସମାରୋହରେ ଯୋଗଦେବେ।
କାର୍ଯ୍ୟସୂଚୀ ଅନୁସାରେ, ନଭେମ୍ବର ୨୮ରେ ରାଷ୍ଟ୍ରପତି ମିଜୋରାମରେ ପହଞ୍ଚିବେ ଏବଂ ୩୦ ତାରିଖରେ ଦିଲ୍ଲୀ ଫେରିବେ। ମଝିରେ ୨୯ ତାରିଖ ପାଇଁ କୌଣସି ସରକାରୀ କାର୍ଯ୍ୟକ୍ରମ ରଖାଯାଇନାହିଁ।
ଗସ୍ତ ସମୟରେ ସମସ୍ତ ବ୍ୟବସ୍ଥାର ସମନ୍ୱୟ ପାଇଁ ମିଜୋରାମ ମୁଖ୍ୟ ସଚିବ ଖିଲ୍ଲି ରାମ ମୀନାଙ୍କ ଅଧ୍ୟକ୍ଷତାରେ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ବସିଥିଲା। ଏଥିରେ ପୁଲିସ ମହାନିର୍ଦ୍ଦେଶକ, ବିଶ୍ୱବିଦ୍ୟାଳୟର କୁଳପତି ଓ କୁଳସଚିବଙ୍କ ସମେତ ବରିଷ୍ଠ ପ୍ରଶାସନିକ ଏବଂ ପୁଲିସ ଅଧିକାରୀ ଯୋଗ ଦେଇଥିଲେ। ରାଷ୍ଟ୍ରପତିଙ୍କ ସୁରକ୍ଷା, ଯାତାୟାତ, ଚିକିତ୍ସା, ଯୋଗାଯୋଗ ଓ ପ୍ରୋଟୋକଲ୍ ଆଦି ବିଷୟରେ ଆଲୋଚନା କରାଯାଇ ବିଭିନ୍ନ ବିଭାଗକୁ ଦାୟିତ୍ୱ ବଣ୍ଟନ କରାଯାଇଛି।
ସେହିପରି ରାଷ୍ଟ୍ରପତିଙ୍କ କାରକେଡ୍ ଯାତାୟାତକୁ ସୁଗମ କରିବା ପାଇଁ ଆଇଜଲର କେତେକ ଅଞ୍ଚଳରେ ଉଠାଦୋକାନୀଙ୍କ ଉପରେ ଅସ୍ଥାୟୀ କଟକଣା ଜାରି ହୋଇଛି। ଜେନେରାଲ୍ ପୋଷ୍ଟ ଅଫିସ୍, ଖାଦ୍ୟ ଓ ଯୋଗାଣ ବିଭାଗ କାର୍ଯ୍ୟାଳୟ, ଆଇସିଟି/ଆଇଜଲ ଭେନ୍ବୁକ୍ କାଉଟ୍ ଏବଂ ଟେନିସ୍ କୋର୍ଟ ନିକଟରେ ନଭେମ୍ବର ୨୮ରୁ ୩୦ ଯାଏଁ ରାସ୍ତାକଡ଼ରେ ବ୍ୟବସାୟ ମନା କରାଯାଇଛି। ଏହି ଅଞ୍ଚଳର ଦୋକାନୀଙ୍କୁ ୨୮ ତାରିଖରେ ଅସ୍ଥାୟୀ ଭାବେ ଅନ୍ୟ ସ୍ଥାନକୁ ଯିବାକୁ ଟ୍ରାଫିକ୍ ପୁଲିସ ନିର୍ଦ୍ଦେଶ ଦେଇଛି।



