ମନ୍ତ୍ରୀ ପ୍ରତାପ ଜେନା ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି
ଆଜି ଅପରାହ୍ନରେ ଭୁବନେଶ୍ୱରର ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି ମନ୍ତ୍ରୀ ପ୍ରତାପ ଜେନା । ସ୍ଥାନୀୟ ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଁଚିବା ପରେ ତାଙ୍କର ଚିକିତ୍ସା ପାଇଁ ଘରୋଇ ଡାକ୍ତରଖାନାକୁ ନିଆଯାଇଥିଲା । ତାଙ୍କୁ ଫୁଲବାଣୀରୁ ଏୟାର ଆମ୍ବୁଲାନ୍ସ ଯୋଗେ ଭୁବନେଶ୍ୱର ଅଣାଯାଇଥିଲା । ଗତକାଲି ରାତିରୁ ପ୍ରତାପ ଜେନା ଅସୁସ୍ଥ ଥିବା ବେଳେ ଆଜି ଜ୍ୱର ବଢିଥିଲା । ଏପରିକି ନିଶ୍ୱାସପ୍ରଶ୍ୱାସ ନେବାରେ ମଧ୍ୟ କଷ୍ଟ ଅନୁଭବ କରିଥିଲେ । କନ୍ଧମାଳ ଗସ୍ତରେ ଥିବା ବେଳେ ହଠାତ୍ ଏମିତି ଅସୁସ୍ଥ ହୋଇପଡିଥିଲେ ।
ଗତକାଲି ପ୍ରତାପ ଅସୁସ୍ଥ ହେବା ପରେ ଏକ ସ୍ୱତନ୍ତ୍ର ଡାକ୍ତରୀ ଦଳ ତାଙ୍କ ସ୍ୱାସ୍ଥ୍ୟ ଉପରେ ନଜର ରଖିଥିଲେ । ଆଜି ଦେହ ଅଧିକ ଅସୁସ୍ଥ ହେବାରୁ ସଙ୍ଗେସଙ୍ଗେ ତାଙ୍କୁ ଏୟାରଲିଫ୍ଟ କରି ଆଣିବାକୁ ନିଷ୍ପତ୍ତି ନିଆଯାଇଥିଲା । ଏହାପରେ ଭୁବନେଶ୍ୱରରୁ ଏକ ଏୟାର ଆମ୍ବୁଲାନ୍ସ ଫୁଲବାଣୀ ଅଭିମୁଖେ ଉଡାଣ ଭରିଥିଲା। ପ୍ରତାପ ଜେନା ଉଭୟ ସରକାରୀ ଓ ଦଳୀୟ କାର୍ଯ୍ୟକ୍ରମ ପାଇଁ କନ୍ଧମାଳ ଗସ୍ତରେ ଥିଲେ ।
ମାସକ ପୂର୍ବରୁ ମଧ୍ୟ ପ୍ରତାପ ଜେନା ଅସୁସ୍ଥ ହୋଇଥିଲେ । ସେତେବେଳେ ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ଭୁବନେଶ୍ୱରର ଆପୋଲୋ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସ୍ୱାସ୍ଥ୍ୟ ପରୀକ୍ଷା ସମୟରେ ତାଙ୍କର ଛାତିରେ ଦୁଇଟି ବ୍ଲକେଜ ଥିବା ଜଣାପଡ଼ିଲା । ଏହାପରେ ଅସ୍ତ୍ରୋପଚାର କରି ଦୁଇଟି ଷ୍ଟେଣ୍ଟ ଲଗାଯାଇଥିଲା ।