ନିତି ଆୟୋଗ ସହ ରାଜ୍ୟ ସରକାରଙ୍କ ବୈଠକ ଆରମ୍ଭ
ନିତି ଆୟୋଗ ଏବଂ ରାଜ୍ୟ ସରକାରଙ୍କ ବୈଠକ ଆରମ୍ଭ ହୋଇଯାଇଛି । ଏହି ବୈଠକରେ ନିତି ଆୟୋଗ ଉପାଧ୍ୟକ୍ଷ ରାଜୀବ କୁମାର ଓ ସଦସ୍ୟ ଭି.କେ ପଲ ଉପସ୍ଥିତ ଥିବା ଜଣାଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିସି ଜରିଆରେ ଏହି ବୈଠକରେ ସାମିଲ ହୋଇଛନ୍ତି । ବୈଠକରେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ସମେତ ଉନ୍ନୟନ କମିଶନର ଓ ଅନ୍ୟ ଅଧିକାରୀମାନେ ଉପସ୍ଥିତ ଅଛନ୍ତି । ବୈଠକରେ ରାଜ୍ୟ ସରକାରଙ୍କ ପକ୍ଷରୁ ଓଡ଼ିଶାକୁ ସ୍ୱତନ୍ତ୍ର ଫୋକସ ରାଜ୍ୟ ମାନ୍ୟତା ସହ ଅନ୍ୟ ଦାବି ଉପସ୍ଥାପନା କରାଯାଇଥିବା ନେଇ ସୂଚନା ମିଳିଛି ।
ଗତ ୧୧ ବର୍ଷରେ ରାଜ୍ୟ ଦେଖିଛି ୧୦ଟି ବାତ୍ୟା, ୩ଟି ମରୁଡ଼ି, ଗୋଟିଏ ଅଦିନିଆ ବାତ୍ୟା ଜନିତ ବୃଷ୍ଟିପାତ, ୨ଟି ପ୍ରଳୟଙ୍କରୀ ବନ୍ୟା । ସବୁ ପ୍ରାକୃତିକ ବିପର୍ୟ୍ୟୟକୁ ସଫଳତାର ସହ ନିଜ ଦମରେ ମୁକାବିଲା କରିଛି ରାଜ୍ୟ । ରାଜ୍ୟର ମୁକାବିଲା ପ୍ଲାନକୁ ସାରା ବିଶ୍ୱ ମଧ୍ୟ ପ୍ରଶଂସା କରିଛି । ପ୍ରତିବର୍ଷ ପ୍ରାକୃତିକ ବିପର୍ଯ୍ୟୟ ମାଡରେ ରାଜ୍ୟ ଆର୍ଥିକ ମେରୁଦଣ୍ଡ ଦୋହଲି ଯାଉଛି । ତେଣୁ ଓଡ଼ିଶାକୁ ଫୋକସ ଷ୍ଟେଟ୍ର ମାନ୍ୟତା ଦିଆଯାଉ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ର ପାଖରେ ଦୀର୍ଘଦିନ ଧରି ଦାବି କରିଆସୁଛନ୍ତି । ସଂସଦର ଉଭୟ ଗୃହରେ ବିଜେଡି ସାଂସଦ ମାନେ ମଧ୍ୟ ଦାବି କରିଛନ୍ତି । ତଥାପି ରାଜ୍ୟ ପ୍ରତି ଅବହେଲା ଜାରି ରଖିଛନ୍ତି କେନ୍ଦ୍ର ସରକାର । କେନ୍ଦ୍ର ତୁରନ୍ତ ଓଡ଼ିଶାକୁ ଫୋକସ ଷ୍ଟେଟ୍ର ମାନ୍ୟତା ଦେଇ ସ୍ୱତନ୍ତ୍ର ଅର୍ଥ ଯୋଗାଇ ଦେବାକୁ ଦାବି କରିବେ ସରକାର । ରାଜ୍ୟର ବରିଷ୍ଠ ଅଧିକାରୀଙ୍କ ସହିତ ଆଲୋଚନା ବାଦ୍ ରାଜ୍ୟର ବିଭିନ୍ନ ପର୍ଯ୍ୟଟନସ୍ଥଳୀ ପରିଦର୍ଶନ କରିବେ ନୀତି ଆୟୋଗ ଉପାଧ୍ୟକ୍ଷ । ଆଜି ସନ୍ଧ୍ୟାରେ ପୁରୀ ଯିବେ ରାଜୀବ କୁମାର । ଏହା ସହିତ ରହଣୀ ସମୟରେ ସେ ଲିଙ୍ଗରାଜ, କୋଣାର୍କ, ଚିଲିକା ବୁଲିବାର କାର୍ଯ୍ୟକ୍ରମ ରହିଛି ।