ନୂଆଦିଲ୍ଲୀ: ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରାଳୟ ପକ୍ଷରୁ ଛୋଟ ପିଲାଙ୍କ ସୁରକ୍ଷାକୁ ସୁଦୃଢ କରିବା ନିମନ୍ତେ ଆଜି ନୂଆ ବିଜ୍ଞପ୍ତି ଜାରି ହୋଇଛି । ୪ ବର୍ଷରୁ କମ୍ ବୟସର ପିଲାମାନଙ୍କୁ ଦୁଇଚକିଆ ଗାଡ଼ିରେ ବସାଇ ଯାତ୍ରା କରୁଥିଲେ ଏହି ନିୟମଗୁଡିକର ପାଳନ କରିବାକୁ ପଡ଼ିବ । ନୂଆ ନିୟମ ଅନ୍ତର୍ଭୁକ୍ତ , ପିଲାମାନଙ୍କ ପାଇଁ କ୍ରାସ ହେଲ୍ମେଟ୍ ପିନ୍ଧିବା ବାଧ୍ୟତାମୂଳକ ରଖାଯାଇଛି । ଏହାସହିତ ସେମାନଙ୍କ ସୁରକ୍ଷା ଲାଗି ସେଫ୍ଟି ହାର୍ଣ୍ଣେସ ବେଲ୍ଟର ବ୍ୟବହାରକୁ ମଧ୍ୟ ବାଧ୍ୟତାମୂଳକ କରାଯାଇଛି । ସେହିଭଳି ଗାଡ଼ିର ବେଗ ଘଣ୍ଟା ପ୍ରତି ୪୦ କିମିରୁ ଯେପରି ଅଧିକ ନ ରୁହେ ସେଥିପ୍ରତି ଚାଳକଙ୍କୁ ଧ୍ୟାନ ଦେବାକୁ ପଡ଼ିବ ।
ଏହି ନୂଆ ନିୟମ ସମ୍ପର୍କରେ କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ଯେ, କେନ୍ଦ୍ରୀୟ ମୋଟର ଯାନ ଆଇନ ୧୯୮୯ର ନିୟମ ୧୩୮ରେ ସଂଶୋଧନ କରି ୪ ବର୍ଷରୁ କମ ବୟସର ପିଲାମାନଙ୍କ ପାଇଁ ନିରାପତ୍ତା ନିୟମାବଳୀ ଧାର୍ଯ୍ୟ କରାଯାଇଛି । ନିୟମର ଉଲ୍ଲଂଘନ କଲେ ୧୦୦୦ ଟଙ୍କା ଜରିମାନା ଦେବାକୁ ପଡ଼ିବ । ଏହାସହିତ ୩ ମାସ ପାଇଁ ଚାଳକଙ୍କ ଲାଇସେନ୍ସକୁ ବାତିଲ କରି ଦିଆଯିବ । ୨୦୨୩ ଫେବ୍ରୁଆରୀ ୧୫ରୁ ଏହି ବ୍ୟବସ୍ଥା ଲାଗୁ କରାଯିବ ବୋଲି ମନ୍ତ୍ରାଳୟ ପକ୍ଷରୁ ସୂଚନା ମିଳିଛି।
ନୂଆ ନିୟମ ଅନୁସାରେ ଯଦି ପିଲା ବାଇକ୍ ଚଳାଉଥିବା ବ୍ୟକ୍ତିଙ୍କ ପଛରେ ବସିଛି ତେବେ ତା’ ପାଇଁ ସୁରକ୍ଷାର ପର୍ଯ୍ୟାପ୍ତ ବ୍ୟବସ୍ଥା ଜରୁରୀ । ପିଲାପାଇଁ ସେଫ୍ଟି ହାର୍ଣ୍ଣେସ ରହିବା ଦରକାର, ଯାହାଦ୍ୱାରା ସେ ଗାଡ଼ିରୁ ଗଳିପଡ଼ିବ ନାହିଁ । ସେଫ୍ଟି ହାର୍ଣ୍ଣେସ ପିଲାକୁ ଚାଳକ ସହ ବାନ୍ଧି ରଖିଥାଏ ଏବଂ ଏହା ୩୦ କିଲୋ ପର୍ଯ୍ୟନ୍ତ ଓଜନକୁ ସମ୍ଭାଳିପାରେ । ଆଉ ନିୟମ ଅନୁସାରେ ଯଦି ଦୁଇଚକିଆ ଗାଡିରେ ୪ ବର୍ଷରୁ କମ୍ ପିଲାଟିଏ ବସିଛି ତେବେ ଘଣ୍ଟା ପ୍ରତି ଏହାର ସ୍ପିଡ୍ ୪୦ କିମିରୁ ଅଧିକ ହେବ ନାହିଁ ।