ବାଲେଶ୍ୱର : ଆଜି ବାଲେଶ୍ୱର ଜିଲ୍ଲା ରୂପ୍ଷା ଥାନା ନିକଟସ୍ଥ ଘରୋଇ ମହାବିଦ୍ୟାଳୟରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଫିନାଇଲ୍ ମିଶା ଡାଲି ଖାଇ ୭ଛାତ୍ରଛାତ୍ରୀ ଗୁରୁତର ଅଛନ୍ତି ।
ରୂପ୍ଷାରେ ଏକ ଘରୋଇ ମହାବିଦ୍ୟାଳୟର ମେସ୍ର ମୁଖ୍ୟ ରୋଷେୟାଙ୍କ ଅନୁସପସ୍ଥିତି ଯୋଗୁଁ ମେସ୍ରେ କାମ କରୁଥିବା ଜଣେ ବୃଦ୍ଧ ମହିଳା ରୋଷେଇ କରିଥିଲେ। ମହିଳା ଜଣକ ଡାଲି ପ୍ରସ୍ତୁତି ବେଳେ ଭୁଲବଶଃତ ପାଖରେ ଥିବା ଫିନାଇଲ୍ ମିଶାଇ ଦେଇଥିଲେ। ଆଉ ମଧ୍ୟାହ୍ନ ସମୟରେ ସେହି ଡାଲିକୁ ମେସ୍ରେ ରହୁଥିବା ପିଲା ଖାଇଥିଲେ । ପିଲାମାନେ ଖାଇବା ପରେ ଅସୁସ୍ଥ ହୋଇପଡ଼ିଥିଲେ। କାହାର ପେଟ କାମୁଡିଥିଲା ତ କାହାକୁ ବାନ୍ତି ହୋଇଥିଲା। ଆଉ କାହାର ମୁଣ୍ଡ ବିନ୍ଧି ଥିଲା। ଏ ସମ୍ପର୍କରେ ଜାଣିବା ପରେ ମେସ୍ କର୍ତ୍ତୃପକ୍ଷ ପିଲାଙ୍କୁ ରୂପ୍ଷା ମେଡିକାଲ୍ରେ ଭର୍ତ୍ତି କରିଥିଲେ। ସେଠାରେ ୬ ଜଣଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି। ଏବେ ସେମାନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଠିକ୍ ଥିବା ଡାକ୍ତର କହିଛନ୍ତି।