ମୋବାଇଲ୍ ଗେମ୍ ନେଇଗଲା ମା’ର ଜୀବନ
ଲକ୍ଷ୍ନୌ: ପୁଅ ପାଇଁ ମା’ଠାରୁ ବଡ ହେଲା ମୋବାଇଲ ଗେମ୍ । ମୋବାଇଲରେ ଗେମ ଖେଳିବାକୁ ମନା କରିବାରୁ ମା’ଙ୍କୁ ଗୁଳି କରି ହତ୍ୟା କରିଛି ନାବାଳକ ପୁଅ। ୧୬ ବର୍ଷର ପିଲାଟି ତା’ ବାପାଙ୍କ ଲାଇସେନ୍ସ ପ୍ରାପ୍ତ ବନ୍ଧୁକକୁ ଗୁଳି ଚଳାଇ ଏପରି ଜଘନ୍ୟ କାଣ୍ଡ ଘଟାଇଛି। ଖାଳି ସେତିକି ନୁହେଁ, ମୃତଦେହ ସହ ସେ ପ୍ରାୟ ୩ ଦିନ ନିଜ ସାନ ଭଉଣୀ ସହ ଗୋଟିଏ ଘରେ ରହିଥିଲେ।ଉତ୍ତର ପ୍ରଦେଶର ଲକ୍ଷ୍ନୌରେ ଘଟିଥିବା ଏହି ଘଟଣା ସାମ୍ନାକୁ ଆସିବା ପରେ ମୋବାଇଲ ଗେମ୍ର ଭୟବହତାକୁ ନେଇ ପୁଣିଥରେ ଚର୍ଚ୍ଚା ଆରମ୍ଭ ହୋଇଛି। ପୁଲିସ୍ କହିବା ଅନୁଯାୟୀ ଏହି ନାବାଳକ ଜଣଙ୍କ ୪୦ ବର୍ଷୀୟ ମା’ ସାଧନା ଓ ୯ ବର୍ଷର ସାନ ଭଉଣୀ ସହ ଲକ୍ଷ୍ନୌର ପିଆଜି ଅଞ୍ଚଳରେ ଥିବା ଆଲଡିକୋ କଲୋନୀରେ ରୁହନ୍ତି। ବାପା ଜଣେ ସେନା କର୍ମଚାରୀ ଓ ସେ କୋଲକାତାରେ ରହୁଛନ୍ତି। ନାବାଳକ ଜଣଙ୍କ ମୋବାଇଲରେ ସବୁଦିନ ଭଳି ରବିବାର ସନ୍ଧ୍ୟାରେ ମଧ୍ୟ ଗେମ୍ ଖେଳିବା ଆରମ୍ଭ କରିଥିଲା। କିନ୍ତୁ ସବୁବେଳେ ସେ ଗେମ୍ ଖେଳୁଥିବାରୁ ସେଦିନ ମା’ ସାଧନା ତା’କୁ ପାଟି କରିଥିଲେ। ଏହାକୁ ନେଇ ଉଭୟଙ୍କ ମଧ୍ୟରେ ବେଶ ପାଟିତୁଣ୍ଡ ହୋଇଥିଲା। ଏଥିରେ ରାଗି ଯାଇ ନାବାଳକ ଜଣଙ୍କ ତୁରନ୍ତ ଘରେ ଥିବା ବାପାଙ୍କ ଲାଇସେନ୍ସ ପ୍ରାପ୍ତ ବନ୍ଧୁକ ଆଣିଥିଲେ। ଏହାପରେ ସେ ମା’ଙ୍କ ଉପରୁ ଗୁଳି ଚଳାଇ ଥିଲା। ଗୁଳି ସିଧା ସାଧନାଙ୍କ ମୁଣ୍ଡରେ ଯାଇ ବାଜିଥିଲା। ଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା ବୋଲି ଜଣାପଡିଛି। ଘଟଣା ପରେ ନାବାଳକ ଜଣଙ୍କ ମା’ଙ୍କ ମୃତଦେହକୁ ଘର ଭିତରେ ଲୁଚାଇ ରଖିଥିଲା। ଏଥିସହ ନିଜର ୯ ବର୍ଷର ଭଉଣୀ ସହ ଆଉ ଗୋଟିଏ ରୁମରେ ରହିଥିଲା। ସମୟ ବିତିବାରୁ ମୃତଦେହରୁ ଦୁର୍ଗନ୍ଧ ବାହାରିଥିଲା। ଏହାକୁ ଲୁଚାଇବା ପାଇଁ ସେ ନିୟମିତ ଭାବେ ରୁମ ସ୍ପ୍ରେ ମଧ୍ୟ କରୁଥିଲା। ଉଭଣୀକୁ ଏ ଘଟଣା ବିଷୟରେ କାହାକୁ କିଛି ନ କହିବାକୁ ସେ ଧମକ ବି ଦେଇଥିଲା।
କିନ୍ତୁ ମଙ୍ଗଳବାର ସନ୍ଧ୍ୟାରେ ସ୍ଥିତି ଅସମ୍ଭାଳ ହେବାରୁ ସେ କୋଲକାତାରେ ରହୁଥିବା ବାପାଙ୍କୁ ଫୋନ କରି ମିଛି କାହାଣୀ କହିଥିଲା। ଘରକୁ କାମ କରିବାକୁ ଆସିଥିବା ଜଣେ ଇଲେକ୍ଟ୍ରିସିଆନ ମା’ଙ୍କୁ ଗୁଳି କରି ହତ୍ୟା କରିଥିବା ସେ ଫୋନରେ ବାପାଙ୍କୁ କହିଥିଲା। ସେ ପୁଅର କଥାକୁ ବିଶ୍ୱାସ କରି ପୁଲିସ୍କୁ ମଧ୍ୟ ଠିକ୍ ସେହି କଥା କହିଥିଲେ। କିନ୍ତୁ ପୁଲିସର ତଦନ୍ତ ବେଳେ ନାବାଳକ ଜଣଙ୍କ ମିଛ କହୁଥିବା ଜାଣିବାକୁ ମିଳିଥିଲା। ପ୍ରାୟ ଅଢ଼େଇ ଘଣ୍ଟାର ଜେରା ପରେ ନାବାଳକ ଜଣକ ନିଜର ଦୋଷ ସ୍ୱୀକାର କରିଥିଲା। ଏଥିସହ କାହିଁକି ସେ ଏପରି କାଣ୍ଡ ଘଟାଇଲା ସେକଥା ମଧ୍ୟ କହିଥିଲା ବୋଲି ଲକ୍ଷ୍ନୌ ପୁଲିସ୍ ପକ୍ଷରୁ ସୂଚନା ମିଳିଛି। ତେବେ ଏଥିରୁ ଯାହା ଜାଣିବାକୁ ମିଳିଲା ଯେ,ମୋବାଇଲ୍ ଗେମ୍ ପିଲାମାନଙ୍କ ମୁଣ୍ଡକୁ କେତେ ପରିମାଣରେ ଖରାପ କରୁଛି । ତେଣୁ ପିଲାମାନଙ୍କୁ ମୋବାଇଲ୍ ଠାରୁ ଦୂରେଇ ରଖିବା ନିହାତି ଆବଶ୍ୟକ ।