
ନୂଆଦିଲ୍ଲୀ: ଭାରତ ଓ କାନାଡା ମଧ୍ୟରେ ପ୍ରସ୍ତାବିତ ବ୍ୟାପକ ଅର୍ଥନୈତିକ ଭାଗିଦାରି ଚୁକ୍ତି (ସିଇପିଏ) ନେଇ ଆଲୋଚନା ଆଗକୁ ବଢ଼ିଛି। ଶୁକ୍ରବାର ବାଣିଜ୍ୟ ଓ ଶିଳ୍ପମନ୍ତ୍ରୀ ପୀୟୂଷ ଗୋୟଲ କାନାଡାର ଅନ୍ତର୍ଜାତୀୟ ବାଣିଜ୍ୟମନ୍ତ୍ରୀ ମାନିନ୍ଦର ସିଧୁଙ୍କ ସହ ଏନେଇ ବୈଠକ କରିଥିଲେ।
ଗୋୟଲ କହିଛନ୍ତି, ଉଭୟ ଦେଶର ନେତୃତ୍ୱ ସିଇପିଏ ଆଲୋଚନାକୁ ଶୀଘ୍ର ଶେଷ କରିବା ନେଇ ପ୍ରତିବଦ୍ଧ। ଏହି ଚୁକ୍ତି ଦ୍ୱାରା ସାମଗ୍ରୀ, ସେବା ଓ ନିବେଶ କ୍ଷେତ୍ରରେ ନୂଆ ସୁଯୋଗ ସୃଷ୍ଟି ହେବ ବୋଲି ସେ ଆଶା ପ୍ରକାଶ କରିଛନ୍ତି।
ଚଳିତ ସପ୍ତାହରେ ନୂଆଦିଲ୍ଲୀରେ ସିଇପିଏ ନେଇ ଚତୁର୍ଥ ପର୍ଯ୍ୟାୟ ଆଲୋଚନା ଆରମ୍ଭ ହୋଇଛି। ପାଞ୍ଚଦିନିଆ ଆଲୋଚନାରେ ସାମଗ୍ରୀ ବାଣିଜ୍ୟ, ସେବା, ଉତ୍ପତ୍ତି ନିୟମ ଏବଂ ବାଣିଜ୍ୟ ସମ୍ବନ୍ଧୀୟ ବୈଷୟିକ ପ୍ରତିବନ୍ଧକ ଭଳି ପ୍ରସଙ୍ଗ ଉପରେ ଆଲୋଚନା ହେଉଛି। ଚଳିତ ବର୍ଷ ଶେଷ ସୁଦ୍ଧା ଚୁକ୍ତି ଚୂଡ଼ାନ୍ତ କରିବାକୁ ଉଭୟ ଦେଶ ଲକ୍ଷ୍ୟ ରଖିଛନ୍ତି।
୨୦୨୪-୨୫ରେ ଭାରତ-କାନାଡା ମଧ୍ୟରେ ସାମଗ୍ରୀ ବାଣିଜ୍ୟ ପ୍ରାୟ ୮.୬୬ ବିଲିୟନ ଡଲାର ଥିଲା। ଏଥିରେ କାନାଡାକୁ ଭାରତର ରପ୍ତାନି ୪.୨୨ ବିଲିୟନ ଡଲାର ରହିଥିଲା। ଔଷଧ, ଯନ୍ତ୍ରପାତି, ଇସ୍ପାତ, ବୈଦ୍ୟୁତିକ ସାମଗ୍ରୀ, ରତ୍ନ ଓ ଅଳଙ୍କାର ଭାରତର ପ୍ରମୁଖ ରପ୍ତାନି ସାମଗ୍ରୀ।



