ଜନ୍ମଦିନର ଶୁଭେଚ୍ଛା ପାଇଁ ଦେଶବାସୀଙ୍କୁ ଧନ୍ୟବାଦ ଦେଲେ ମୋଦୀ
ନୂଆଦିଲ୍ଲୀ: ଜନ୍ମଦିନ ଅବସରରେ ଦେଶ ଓ ବିଦେଶରୁ ମିଳିଥିବା ଅପାର ଶୁଭେଚ୍ଛା, ସ୍ନେହ ଓ ଆଶୀର୍ବାଦ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁରୁବାର ଦେଶବାସୀଙ୍କୁ ହୃଦୟରୁ କୃତଜ୍ଞତା ଜଣାଇଛନ୍ତି। ସାମାଜିକ ଗଣମାଧ୍ୟମରେ ଏକ ବାର୍ତ୍ତା ଜାରି କରି ମୋଦୀ କହିଛନ୍ତି, ଲୋକଙ୍କ ପ୍ରତ୍ୟେକ ସ୍ନେହଭରା ଶବ୍ଦ ତାଙ୍କୁ ଗଭୀର ଭାବେ ସ୍ପର୍ଶ କରିଛି ଏବଂ ଦେଶସେବା ଜାରି ରଖିବାକୁ ନୂଆ ଶକ୍ତି ଦେଇଛି।
ଜନ୍ମଦିନ ଅବସରରେ ବିଭିନ୍ନ ସେବାମୂଳକ କାର୍ଯ୍ୟରେ ସାମିଲ ହୋଇଥିବା ଅସଂଖ୍ୟ ନାଗରିକଙ୍କ ଉଦ୍ୟମକୁ ମଧ୍ୟ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଛନ୍ତି। ନିଃସ୍ୱାର୍ଥ ସେବା ଦେଶର ମନୋଭାବର ଏକ ଅବିଚ୍ଛେଦ୍ୟ ଅଂଶ ଏବଂ ଏହା ସାମାଜିକ ଏକତାକୁ ମଜବୁତ କରେ ବୋଲି ସେ କହିଛନ୍ତି।

ବିକଶିତ ଭାରତ ଗଠନର ବୃହତ୍ ଲକ୍ଷ୍ୟ ଉପରେ ଗୁରୁତ୍ୱ ଦେଇ ମୋଦୀ ସମସ୍ତଙ୍କୁ ଏକାଠି ହୋଇ କାମ କରିବାକୁ ଆହ୍ୱାନ ଦେଇଛନ୍ତି। ୨୦୪୭ ସୁଦ୍ଧା ସମୃଦ୍ଧ, ସମାବେଶୀ ଓ ଆତ୍ମନିର୍ଭର ଭାରତ ଗଠନ ଦିଗରେ ଆଗକୁ ବଢ଼ିବାକୁ ସେ ଆହ୍ୱାନ ଦେଇଛନ୍ତି।
ମୋଦୀଙ୍କ ଜନ୍ମଦିନ ଅବସରରେ ବିଭିନ୍ନ ରାଜ୍ୟରେ ରକ୍ତଦାନ ଶିବିର, ସ୍ୱଚ୍ଛତା ଅଭିଯାନ, ବୃକ୍ଷରୋପଣ, ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା ଏବଂ ଆବଶ୍ୟକୀୟ ସାମଗ୍ରୀ ବଣ୍ଟନ ଭଳି ସେବା କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ବିଭିନ୍ନ ସାମାଜିକ ସଂଗଠନ, ଯୁବଗୋଷ୍ଠୀ ଓ ସ୍ୱେଚ୍ଛାସେବୀମାନେ ଏଥିରେ ସାମିଲ ହୋଇଥିଲେ।
ନିଜ ଜନ୍ମଦିନରେ ମିଳିଥିବା ଶୁଭେଚ୍ଛା ସହ ଲୋକଙ୍କ ସେବାମୂଳକ କାର୍ଯ୍ୟକୁ ପ୍ରଧାନମନ୍ତ୍ରୀ ସ୍ୱୀକୃତି ଦେଇ ରାଷ୍ଟ୍ର ଗଠନରେ ଜନସାଧାରଣଙ୍କ ସକ୍ରିୟ ଭୂମିକାର ଗୁରୁତ୍ୱ ଉପରେ ବାର୍ତ୍ତା ଦେଇଛନ୍ତି।



