ଝିରମ ଘାଟି ନକ୍ସଲ ଆକ୍ରମଣ: ୧୦ ଦୋଷୀଙ୍କୁ ମୃତ୍ୟୁଦଣ୍ଡ

ଜଗଦଲପୁର: ୨୦୧୩ ମସିହାର ବହୁଚର୍ଚ୍ଚିତ ଝିରାମ ଘାଟି ନକ୍ସଲ ଆକ୍ରମଣ ମାମଲାରେ ୧୦ ଜଣ ଦୋଷୀଙ୍କୁ ମୃତ୍ୟୁଦଣ୍ଡ ଶୁଣାଇଛନ୍ତି ଜଗଦଲପୁରସ୍ଥିତ ସ୍ୱତନ୍ତ୍ର ଏନ୍ଆଇଏ କୋର୍ଟ। ବୁଧବାର ଦୋଷୀଙ୍କୁ ଦଣ୍ଡାଦେଶ ଶୁଣାଯାଇଛି। ଏହା ପୂର୍ବରୁ ସେପ୍ଟେମ୍ବର ୫ରେ କୋର୍ଟ ୧୦ ଜଣଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ।
ଦୋଷୀ ସାବ୍ୟସ୍ତ ହୋଇଥିବାମାନେ ହେଲେ ପ୍ରମିଳା ମୋଡିୟାମ, ଚାଇତୁ ଲେକାମ ଓରଫ ମୁନ୍ନା, ସୁମିତ୍ରା ପୁନେମ ମୋଡିୟାମ, ମୁକ୍କା ମାଣ୍ଡଭି, କୋସା କ୍ୱାସ, ରେକ୍ଟାଙ୍ଗଲ ମାରକାମ, ମାଡାକାମି ଦେବା, ଯୋଗା ମାଡାକାମି, ବଞ୍ଜାମି ସାନ୍ନା ଓରଫ ଚାମରୁ ଓରଫ ଡେଙ୍ଗା ଏବଂ ମହାଦେବ ନାଗ।
୨୦୧୩ ମେ’ ୨୫ରେ ଛତିଶଗଡ଼ର ଦର୍ଭା ଥାନା ଅଞ୍ଚଳର ଝିରାମ ଘାଟିରେ କଂଗ୍ରେସର ‘ପରିବର୍ତ୍ତନ ରାଲି’ ଉପରେ ନକ୍ସଲମାନେ ଆକ୍ରମଣ କରିଥିଲେ। ପ୍ରଥମେ ଲ୍ୟାଣ୍ଡମାଇନ୍ ବିସ୍ଫୋରଣ କରାଯିବା ପରେ ନକ୍ସଲମାନେ ଗୁଳି ଓ ଗ୍ରେନେଡ୍ରେ ଆକ୍ରମଣ କରିଥିଲେ।
ଏହି ଆକ୍ରମଣରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ବିଦ୍ୟାଚରଣ ଶୁକ୍ଳ, ତତ୍କାଳୀନ ଛତିଶଗଡ଼ କଂଗ୍ରେସ ସଭାପତି ନନ୍ଦକୁମାର ପଟେଲ, ତାଙ୍କ ପୁଅ ଦିନେଶ ପଟେଲ, ବସ୍ତରର ପ୍ରମୁଖ ନେତା ମହେନ୍ଦ୍ର କର୍ମା ଏବଂ ପୂର୍ବତନ ବିଧାୟକ ଉଦୟ ମୁଦାଲିୟାରଙ୍କ ସମେତ ଅନେକ ଲୋକ ପ୍ରାଣ ହରାଇଥିଲେ।
ରାୟ ବିରୋଧରେ ଦୋଷୀମାନେ ୩୦ ଦିନ ମଧ୍ୟରେ ଛତିଶଗଡ଼ ହାଇକୋର୍ଟରେ ଅପିଲ କରିପାରିବେ। ପ୍ରତିପକ୍ଷ ଓକିଲ ଅରବିନ୍ଦ ଚୌଧୁରୀ କହିଛନ୍ତି ଯେ ଦୋଷୀ ପକ୍ଷ ଏହି ରାୟ ବିରୋଧରେ ହାଇକୋର୍ଟରେ ଆବେଦନ କରିବ।



