
ଶ୍ରୀନଗର: କଂଗ୍ରେସକୁ ବଡ ଝଟକା । କଂଗ୍ରେସରୁ ଇସ୍ତଫା ଦେଇଥିବା ବରିଷ୍ଠ ନେତା ଗୁଲାମ ଆଜି ଜମ୍ମୁରେ ଏକ ବଡ ରାଲି କରିବାକୁ ଯାଉଛନ୍ତି। କଂଗ୍ରେସରୁ ୫୦ ବର୍ଷର ସମ୍ପର୍କ ଭାଙ୍ଗି ଥିବା ଗୁଲାମ ଏହି ରାଲିରେ ନିଜର ନୂଆ ଦଳ ଘୋଷଣା କରିପାରନ୍ତି। ଏଥିସହ ଏହି ରାଲିରେ କଂଗ୍ରେସକୁ ବଡ ଝଟ୍କା ମଧ୍ୟ ଲଗିପାରେ। କାରଣ ଆଜଦଙ୍କ ସମର୍ଥନରେ ପ୍ରାୟ ୨୦୦ କର୍ମୀ କଂଗ୍ରେସରୁ ଇସ୍ତଫା ଦେବା ଅଶଙ୍କା ରହିଛି। ଜମ୍ମୁ କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ଗୁଲାମ ନବୀ ଆଜାଦ କଂଗ୍ରେସ ଛାଡିବା ପରେ ଆଜି ଜାମ୍ମୁରେ ତାଙ୍କର ପ୍ରଥମ ବଡ ରାଲି । ଆଜାଦ ଜାମ୍ମୁର ସାଇନିକ ଫାର୍ମରେ ଏକ ବଡ ରାଲିକୁ ସମ୍ବୋଧନ କରିବେ। ଏହି ରାଲିରେ ୨୦,୦୦୦ରୁ ଅଧିକ ଜନସମାବେଶ ହେବ ବୋଲି କୁହାଯାଉଛି। ସେହି ସଭାସ୍ଥଳରେ ହିଁ ଆଜାଦ ତାଙ୍କ ଜାତୀୟସ୍ତରୀୟ ଦଳ ଘୋଷଣା କରିବାର ସମ୍ଭାବନା ମଧ୍ୟ ରହିଛି। ଜମ୍ମୁ କଶ୍ମୀରର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତାରା ଚାନ୍ଦଙ୍କ ସମେତ ପ୍ରାୟ ୧୨ଜଣ ପୂର୍ବତନ ମନ୍ତ୍ରୀ ଏବଂ ପୂର୍ବତନ ବିଧାୟକ ଆଜାଦଙ୍କୁ ସମର୍ଥନ ଜଣାଇସାରିଛନ୍ତି । କଂଗ୍ରେସ ସମେତ ଅନ୍ୟ ଦଳର ନେତାମାନେ ମଧ୍ୟ ଗୁଲାମ ନବୀ ଆଜାଦଙ୍କ ରାଲିରେ ଯୋଗ ଦେଇ ତାଙ୍କୁ ସମର୍ଥନ ଜଣାଇବେ ବୋଲି ସୂଚନା ମିଳୁଛି। ଗୁଲାମ ନବୀ ଆଜାଦ ଅଗଷ୍ଟ ୨୬ରେ କଂଗ୍ରେସଠାରୁ ସମସ୍ତ ସମ୍ପର୍କ ତୁଟାଇ ଇସ୍ତଫା ଦେଇଥିଲେ। ଏଥିସହ କଂଗ୍ରେସ ଦଳର ଅବନତି ପାଇଁ ସେ ରାହୁଲ ଗାନ୍ଧିଙ୍କୁ ଦାୟୀ କରିଥିଲେ।