ଦେଶ ବିଦେଶମୁଖ୍ୟ ଖବରରାଜନୀତି

୬ ବର୍ଷ ପରେ ଲାଲୁ-ନୀତିଶଙ୍କୁ ଭେଟିଲେ ସୋନିଆ ଗାନ୍ଧି

ନୂଆଦିଲ୍ଲୀ: ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଓ ଲାଲୁ ପ୍ରସାଦ ଯାଦବଙ୍କୁ ଏକାଠି ଦୀର୍ଘ ୬ ବର୍ଷ ପରେ କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷ ସୋନିଆ ଗାନ୍ଧି ଭେଟିଛନ୍ତି। ନୀତୀଶ କୁମାର ୨୦୨୪ ପୂର୍ବରୁ ବିଜେପି ବିରୋଧରେ ବିରୋଧୀଙ୍କୁ ଏକାଠି କରିବାକୁ ଚାହୁଁଥିବା ବେଳେ ସୋନିଆଙ୍କ ସହ ତାଙ୍କର ବୈଠକ ବେଶ ଗୁରୁତ୍ୱବହନ କରୁଛି।କାରଣ ଅନେକ ବିରୋଧୀ ଦଳର ନେତା ଅଣ କଂଗ୍ରେସ ମେଣ୍ଟ କଥା କହି ଆସୁଥିଲେ। କିନ୍ତୁ କଂଗ୍ରେସ ବିନା କୌଣସି ବିରୋଧୀ ମେଣ୍ଟ ସମ୍ଭବ ନୁହେଁ ବୋଲି ଗୋଟିଏ ବାର୍ତ୍ତା ଦେବାକୁ ଲାଲୁ ଓ ନୀତୀଶ ରବିବାର ସୋନିଆଙ୍କୁ ଭେଟିଛନ୍ତି। ବୈଠକ ପରେ ଲାଲୁ ପ୍ରସାଦ ଯାଦବଙ୍କ ବୟାନ ଏହାକୁ ଆହୁରି ଇନ୍ଧନ ଯୋଗାଇଛି। ଲାଲୁ କହିନ୍ତି, “କଂଗ୍ରେସ ବିନା ବିରୋଧୀ ମେଣ୍ଟ ଅସମ୍ଭବ। ସେମାନେ ସବୁଠାରୁ ଆଗରେ ରହି ବିଜେପି ବିରୋଧରେ ଲଢ଼େଇ କରୁଛନ୍ତି। ମିଳିଥିବା ସୂଚନା ଅନୁସାରେ, ୟୁପିଏ ଅଧ୍ୟକ୍ଷ ତଥା କଂଗ୍ରେସର ଅନ୍ତରୀଣ ସଭାପତି ସୋନିଆ ଗାନ୍ଧି ବିରୋଧୀଙ୍କ ମେଣ୍ଟ ସମ୍ପର୍କରେ ଲାଲୁ-ନୀତୀଶଙ୍କ ସହ କଥା ହେବା ପରେ ସକାରାତ୍ମକ ସଙ୍କେତ ଦେଇଛନ୍ତି। କିନ୍ତୁ ସେ କିଛି ସର୍ତ୍ତ ରଖିଛନ୍ତି। ବିରୋଧୀଙ୍କୁ ଏକାଠି କରିବାକୁ ଆରମ୍ଭ ହୋଇଥିବା ଯୋଜନାର ଗାଡ଼ିକୁ କଂଗ୍ରେସର ଆଭ୍ୟନ୍ତରୀଣ ନିର୍ବାଚନ ପରେ ହିଁ ଗତି ଦିଆଯିବ ବୋଲି ସୋନିଆ କହିଥିବା ଜଣାପଡ଼ିଛି। ଲାଲୁ ଯାଦବ କହିଛନ୍ତି, “ଆମେ ସୋନିଆ ଗାନ୍ଧିଙ୍କୁ ଭେଟିଲୁ ଓ ୨୦୨୪ରେ ବିଜେପିକୁ ପରାସ୍ତ କରିବା ପାଇଁ ବିରୋଧୀ ମେଣ୍ଟ ସମ୍ପର୍କରେ କଥା ହେଲୁ। ସେ ଆମ ସହ ଆଉ ଥରେ ବୈଠକ କରିବେ ବୋଲି କହିଛନ୍ତି। କିନ୍ତୁ କଂଗ୍ରେସର ଅଧ୍ୟକ୍ଷ ନିର୍ବାଚନ ପରେ ଏହି ଭେଟଘାଟ ହେବ। ସେହିପରି କଂଗ୍ରେସର ମଙ୍ଗ ସମ୍ଭାଳିବାକୁ ଯାଉଥିବା ନୂଆ ନେତାଙ୍କ ସହ ଆଲୋଚନା କରିବାକୁ ମଧ୍ୟ ସେ ପରାମର୍ଶ ଦେଇଛନ୍ତି। ନିର୍ବାଚିତ ହେବାକୁ ଥିବା କଂଗ୍ରେସର ନୂଅ ଅଧ୍ୟକ୍ଷ ହିଁ ଏହା ଉପରେ ନିଷ୍ପତ୍ତି ନେବେ ବୋଲି ସୋନିଆ ଗାନ୍ଧି ଆମକୁ କହିଛନ୍ତି। ଆସନ୍ତା ୧୭ ତାରିଖରେ କଂଗ୍ରେସର ଅଧ୍ୟକ୍ଷ ପଦ ପାଇଁ ନିର୍ବାଚନ ହେବ। ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଅଧ୍ୟକ୍ଷ ହେବାର ଯଥେଷ୍ଟ ସମ୍ଭାବନା ରହିଛି। ଗତକାଲିର ଭେଟଘାଟ ପୂର୍ବରୁ ନୀତୀଶ କୁମାର ଏକଦା ଦିଲ୍ଲୀ ଆସି ବିରୋଧୀଙ୍କୁ ଏକାଠି କରିବାକୁ ଚେଷ୍ଟା କରିଥିଲେ। ଦିଲ୍ଲୀ ଆସିବା ପରେ ସେ ପ୍ରଥମେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧିଙ୍କୁ ଭେଟିଥିଲେ। ଏହି ସମୟରେ ସୋନିଆ ଗାନ୍ଧି ବିଦେଶରେ ଥିବାରୁ ନୀତୀଶ ତାଙ୍କୁ ଭେଟି ପାରି ନଥିଲେ। ଏବେ ସୋନିଆ ଗାନ୍ଧି ଦିଲ୍ଲୀରେ ଲାଲୁ ଓ ନୀତୀଶ କୁମାରଙ୍କୁ ଭେଟିଛନ୍ତି। କିନ୍ତୁ ତାଙ୍କ ପୁଅ ରାହୁଲ ଗାନ୍ଧି ଏହି ବୈଠକରେ ଉପସ୍ଥିତ ନଥିଲେ। ରାହୁଲ ଗାନ୍ଧି ବର୍ତ୍ତମାନ ଭାରତ ଯୋଡ଼ୋ ପଦଯାତ୍ରାରେ ବ୍ୟସ୍ତ ରହିଛନ୍ତି।

 

Show More

Related Articles

Back to top button