ନିଜ ଜନ୍ମମାଟିରେ ହେବ ବିଜୟ ରଞ୍ଜନ ସିଂ ବରିହାଙ୍କ ଶେଷକୃତ୍ୟ
ପଦ୍ମପୁର : ଆଜି ନିଜ ଜନ୍ମମାଟିରେ ହେବ ପଦ୍ମପୁର ବିଧାୟକ ବିଜୟ ରଞ୍ଜନ ସିଂ ବରିହାଙ୍କର ଶେଷକୃତ୍ୟ। ବିଧାୟକଙ୍କ ପାର୍ଥିବ ଶରୀରକୁ ଅନ୍ତିମ ଶୋଭାଯାତ୍ରାରେ ପଦ୍ମପୁର ରାଜଘାଟକୁ ନିଆଯିବ। ସେଠାରେ ଅନ୍ତିମ ସଂସ୍କାର କରାଯିବ। ଆଜି ସକାଳେ ବିଜେଡିର ଅନେକ ବରିଷ୍ଠ ନେତା ପଦ୍ମପୁର ବିଧାୟକଙ୍କ ଶେଷ ଦର୍ଶନ କରିଥିଲେ। ବିଜେଡି ନେତା ପ୍ରସନ୍ନ ଆଚାର୍ଯ୍ୟ, ବରିଷ୍ଠ ବିଜେପି ନେତା ପ୍ରଦୀପ ପୁରୋହିତ, ଲୋଇସିଂହା ବିଧାୟକ ମୁକେଶ ମହାଲିଙ୍ଗ, ବିଜେଡି ନେତ୍ରୀ ସ୍ନେହାଙ୍ଗିନୀ ଛୁରିଆ ଓ ମନ୍ତ୍ରୀ ରିତା ସାହୁ ପ୍ରମୁଖ ଶେଷ ଦର୍ଶନ କରି ବିଜୟ ରଂଜନ ସିଂ ବରିହାଙ୍କୁ ଶେଷ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଗତକାଲି ବହୁ ସଂଖ୍ୟାରେ ସ୍ଥାନୀୟ ନେତା ଓ ଜନତା ବିଧାୟକଙ୍କ ଶେଷ ଦର୍ଶନ କରିଥିଲେ। ରବିବାର ବିଳମ୍ବିତ ରାତିରେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ବିଧାୟକ ବିଜୟ ରଂଜନ ସିଂହଙ୍କ ପରଲୋକ ଘଟିଥିଲା। ଅସୁସ୍ଥତା ଯୋଗୁଁ କିଛି ଦିନ ହେବ ବିଜୟ ରଂଜନ ସିଂହ ବରିହାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ତେବେ ଡାକ୍ତରଙ୍କ ଉଦ୍ୟମ ସତ୍ତ୍ୱେ ତାଙ୍କ ଅବସ୍ଥାରେ କିଛି ଉନ୍ନତି ଆସି ନଥିଲା ଓ ଗତକାଲି ରାତି ପ୍ରାୟ ଗୋଟାଏ ବେଳେ ତାଙ୍କର ପରଲୋକ ହୋଇଥିଲା।