ଚାକିରି ଛାଡିଲେ ଭି.କେ ପାଣ୍ଡିଆନ

ମୁଖ୍ୟମନ୍ତ୍ରୀଙ୍କ ସଚିବ ତଥା ରାଜ୍ୟରେ ଫାଇଭ୍-ଟି ସଚିବ (5t secretary ) ଭାବେ ପରିଚିତ ଭିକେ ପାଣ୍ଡିଆନ୍ଙ୍କୁ ସ୍ୱଚ୍ଛାକୃତ ଅବସର ମିଳିଛି। ରାଜ୍ୟ ସରକାରଙ୍କ ପରାମର୍ଶ କ୍ରମେ ବିନା ନୋଟିସ୍ ପିରିୟଡରେ ମାତ୍ର ତିନି ଦିନ ଭିତରେ କେନ୍ଦ୍ର ସରକାରଙ୍କ କାର୍ମିକ ମନ୍ତ୍ରଣାଳୟ ତାଙ୍କ ସ୍ୱେଚ୍ଛାକୃତ ଅବସର ଆବେଦନକୁ ଗ୍ରହଣ କରିଛନ୍ତି। ଅକ୍ଟେବାର ୨୦ ତାରିଖରେ ରାଜ୍ୟ ସରକାରଙ୍କ ତାଙ୍କ ଆବେଦନକୁ କେନ୍ଦ୍ରକୁ ପଠାଇଥିଲେ ଏବଂ ୨୩ ଅକ୍ଟୋବରରେ ତାଙ୍କ ଆବେଦନ ସ୍ୱୀକୃତ ହୋଇଥିବା ଭାରତ ସରକାରଙ୍କ ପକ୍ଷରୁ ଜଣାଇ ଦିଆଯାଇଛି। ଭି କାର୍ତ୍ତିକେୟ ପାଣ୍ଡିଆନ୍ ହେଉଛନ୍ତି ୨୦୦୦ ମସିହାର ଆଇଏଏସ୍ ଅଧିକାରୀ। ସେ ବହୁ ବର୍ଷଧରି ମୁଖ୍ୟମନ୍ତ୍ରୀଙ୍କ ସଚିବ ଭାବେ କାର୍ଯ୍ୟ କରି ଆସୁଛନ୍ତି। କିନ୍ତୁ ଗଲା କିଛି ବର୍ଷ ହେଲା ତାଙ୍କର ରାଜନୀତିକ ଅନ୍ତର୍ଭୁକ୍ତିକୁ ନେଇ ଚର୍ଚ୍ଚା ହୋଇ ଆସୁଛି। ବିଭିନ୍ନ ଜିଲ୍ଲା ଗସ୍ତ ଏବଂ ସେଠାରେ ଲୋକମାନଙ୍କ ସହ ସିଧା ସଳଖ ଆଲୋଚନା କରିବା, ସେମାନଙ୍କୁ ପ୍ରତିଶୃତି ଦେବାକୁ ନେଇ ବିଭିନ୍ନ ସମୟରେ ଆଲୋଚନା ହୋଇଛି। ବିରୋଧି ଦଳ ନେତାଙ୍କ ପକ୍ଷରୁ ଗତ ବିଧାନସଭା ଅଧିବେଶନରେ ତାଙ୍କ ବିରୁଦ୍ଧରେ ସ୍ୱାଧିକାର ଭଙ୍ଗ ନୋଟିସ ଅଣାଯାଇଥିଲା।
ଯାହା ବିଧାନସଭା ସ୍ୱାଧିକାର କମିଟିର ବିଚାରାଧୀନ ରହିଛି। ଏହି ଚର୍ଚ୍ଚିତ ଆଇଏଏସ୍ ଅଧିକାରୀଙ୍କୁ ଚାକିରି ଛାଡ଼ି ରାଜନୀତି କରିବା ପାଇଁ ଅନେକ ସମୟରେ ବିଜେପି ନେତାମାନେ ଆହ୍ୱାନ କରିଛନ୍ତି। ନିକଟରେ ସାଂସଦ ଅପରୀାଜିତା ଷଡ଼ଙ୍ଗୀ ତାଙ୍କୁ ଆହ୍ୱାନ ଦେଇଥିଲେ। ଏପରି ଅବସ୍ଥାରେ ପାଣ୍ଡିଆନ୍ଙ୍କ ଅବସର ଗ୍ରହଣର ଇଚ୍ଛା ଏବଂ ତାକୁ ବିନା କୌଣସି ଅବସର ନୋଟିସ ସମୟରେ ଗ୍ରହଣ କରିବା ଲାଗି କେନ୍ଦ୍ର ସରକାରଙ୍କୁ ସୁପାରିସ କରିବା ସମସ୍ତଙ୍କୁ ଚକିତ କରିଛି। ଆଗକୁ ତାଙ୍କ ଅବସର ବିଜେଡି ଓ ରାଜ୍ୟ ରାଜନୀତିକୁ ସରଗରମ କରିବ ବୋଲି ଆଶା କରାଯାଉଛି। ଶ୍ରୀ ପାଣ୍ଡିଆନ ସିଧା ସଳଖ ରାଜନୀତିକୁ ଓହ୍ଲାଇ ନିର୍ବାଚନ ଲଢ଼ିପାରନ୍ତି ବୋଲି ବି ଚର୍ଚ୍ଚା ହେଉଛି।