ବେଲୁଚିସ୍ତାନରେ ଆତ୍ମଘାତୀ କାର୍ ବିସ୍ଫୋରଣ, ୫ ମୃତ ୧୩ ଆହତ
ପାକିସ୍ତାନର ବେଲୁଚିସ୍ତାନ ପ୍ରାନ୍ତରେ ଆତଙ୍କବାଦୀଙ୍କ ଭୟଙ୍କର ଆକ୍ରମଣ। ମସ୍ତୁଙ୍ଗ ଜିଲ୍ଲାର କଣ୍ଡାୱା ଅଞ୍ଚଳରେ ଥିବା ଏକ ସୁରକ୍ଷା ଚୌକିକୁ ଟାର୍ଗେଟ୍ କରି ବିସ୍ଫୋରକ ଭର୍ତ୍ତି କାର୍ ମାଡ଼ କରାଯାଇଛି। ଏହି ବିସ୍ଫୋରଣରେ ୫ ଜଣଙ୍କ ଜୀବନ ଯାଇଥିବା ବେଳେ ୧୩ ଜଣ ଆହତ ହୋଇଛନ୍ତି। ଗୁରୁବାର ଘଟିଥିବା ଏହି ଘଟଣା ସମ୍ପର୍କରେ ଶୁକ୍ରବାର ଜଣେ ସୁରକ୍ଷା ଅଧିକାରୀ ସୂଚନା ଦେଇଛନ୍ତି।
ଅଧିକାରୀଙ୍କ ଅନୁସାରେ, ଆକ୍ରମଣରେ ତିନି ଜଣ ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଛି। ସେମାନଙ୍କ ମଧ୍ୟରେ ଆତ୍ମଘାତୀ ଆକ୍ରମଣକାରୀ ମଧ୍ୟ ରହିଛି। ବାକି ଦୁଇ ମୃତକ ସାଧାରଣ ନାଗରିକ। ଆହତଙ୍କ ମଧ୍ୟରେ ଫ୍ରଣ୍ଟିୟର କର୍ପସ୍ (ଏଫ୍ସି) ଯବାନ ଅଛନ୍ତି। ବିସ୍ଫୋରଣର ପ୍ରଭାବରେ ନିକଟସ୍ଥ ଘର ଓ ଏକ ମସଜିଦ୍ କ୍ଷତିଗ୍ରସ୍ତ ହୋଇଛି। ମୃତ ସାଧାରଣ ନାଗରିକଙ୍କ ମଧ୍ୟରେ ମହିଳା ଓ ଶିଶୁ ଥିବା ଜଣାପଡ଼ିଛି।
ନିଷିଦ୍ଧ ବେଲୁଚ୍ ଲିବରେସନ୍ ଆର୍ମି (ବିଏଲ୍ଏ) ଏହି ଆକ୍ରମଣର ଦାୟିତ୍ୱ ନେଇଛି। ଆତ୍ମଘାତୀ ଆକ୍ରମଣକାରୀ ଓସାମା ଶାହୱାନୀ ବୋଲି ସଂଗଠନ ଦାବି କରିଛି। ସେ ୨୦୨୨ରେ ସଂଗଠନରେ ସାମିଲ ହୋଇଥିବା କୁହାଯାଇଛି। ତେବେ ସୁରକ୍ଷା ଅଧିକାରୀଙ୍କ ଅନୁସାରେ, ୨୦୨୪ରେ ତାଙ୍କ ନାମ ନିଖୋଜ ବ୍ୟକ୍ତିଙ୍କ ତାଲିକାରେ ଥିଲା।
ଏହା ପୂର୍ବରୁ ନଭେମ୍ବର ୧୧ରେ ଖାଇବର ପଖତୁନଖ୍ୱା ପ୍ରାନ୍ତର କୋହାଟ ଜିଲ୍ଲାରେ ପୋଲିସ ଟିମ୍ ଉପରେ ଆକ୍ରମଣ ହୋଇଥିଲା। ଏଥିରେ ଡିଏସ୍ପି ଓ ସବ୍-ଇନ୍ସପେକ୍ଟରଙ୍କ ସମେତ ୧୧ ଜଣ ପୋଲିସ କର୍ମଚାରୀ ପ୍ରାଣ ହରାଇଥିବା ବେଳେ ୧୨ ଜଣ ଆହତ ହୋଇଥିଲେ।



