ଓଡ଼ିଶାମୁଖ୍ୟ ଖବର

ଓଡ଼ିଶା ବୟନ ଓ ପୋଷାକ ଶିଳ୍ପରେ ହେବ ହବ୍, ବଢିବ ନିଯୁକ୍ତି ସୁଯୋଗ

 

ଓଡ଼ିଶାକୁ ବୟନ ଓ ପୋଷାକ ଶିଳ୍ପରେ ଏକ ମୁଖ୍ୟ କେନ୍ଦ୍ରରେ ପରିଣତ କରିବାକୁ ରାଜ୍ୟ ସରକାର ଦୃଢ଼ ପଦକ୍ଷେପ ନେଇଛନ୍ତି। କଟକ ଜିଲ୍ଲାର ରାମଦାସପୁରରେ ପେଜ୍ ଇଣ୍ଡଷ୍ଟ୍ରିଜ ପକ୍ଷରୁ ସ୍ଥାପିତ ବୃହତ ଆପାରେଲ୍ ମ୍ୟାନୁଫାକ୍ଚରିଂ ୟୁନିଟ୍ ଉଦ୍ଘାଟନ ଅବସରରେ ମୁଖ୍ୟମନ୍ତ୍ରୀ ଏହି ଘୋଷଣା କରିଛନ୍ତି।

ପ୍ରାୟ ୭୫୦ କୋଟି ଟଙ୍କା ବିନିଯୋଗରେ ସ୍ଥାପିତ ଏହି ଉଦ୍ୟୋଗ ଦ୍ୱାରା ୫,୮୦୦ରୁ ଅଧିକ ଯୁବକ-ଯୁବତୀଙ୍କ ପାଇଁ ନୂତନ ନିଯୁକ୍ତି ସୃଷ୍ଟି ହୋଇଛି। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଏପରି ଶିଳ୍ପ ପ୍ରତିଷ୍ଠା ଦ୍ୱାରା ରାଜ୍ୟରୁ ବାହାରକୁ ଯାଇ ଚାକିରି କରିବା ପ୍ରବୃତ୍ତି କମିବ ଏବଂ ଆଗାମୀ ଦିନରେ ରିଭର୍ସ ମାଇଗ୍ରେସନ୍ ଦେଖିବାକୁ ମିଳିବ।

ସେ କହିଛନ୍ତି, ବୟନ ଓ ପୋଷାକ ଶିଳ୍ପରେ କମ୍ ବିନିଯୋଗରେ ଅଧିକ ନିଯୁକ୍ତି ସୃଷ୍ଟି ସମ୍ଭବ, ଯାହାର ଲାଭ ବିଶେଷକରି ମହିଳାମାନେ ପାଇପାରିବେ। ଏହାକୁ ଦୃଷ୍ଟିରେ ରଖି ଖୋର୍ଦ୍ଧା, କଟକ, ଗଞ୍ଜାମ ସହିତ ଅନ୍ୟାନ୍ୟ ଜିଲ୍ଲାରେ ଟେକ୍ସଟାଇଲ ଓ ଆପାରେଲ୍ ଉଦ୍ୟୋଗଗୁଡ଼ିକୁ ବ୍ୟାପକ ଭାବେ ବିକାଶ କରାଯାଉଛି।

ଏହି ଶିଳ୍ପାୟନ ଦ୍ୱାରା କେବଳ ଚାକିରି ସୃଷ୍ଟି ନୁହେଁ, ବରଂ କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ, ଷ୍ଟାର୍ଟଅପ୍, ସ୍ଥାନୀୟ ସପ୍ଲାଇ ଚେନ୍ ଓ ଦକ୍ଷତା ବିକାଶରେ ମଧ୍ୟ ଗତି ଆସିବ। ଏହା ରାଜ୍ୟରେ ଏକ ସୁଦୃଢ଼ ଇଣ୍ଡଷ୍ଟ୍ରିଆଲ୍ ଇକୋସିଷ୍ଟମ ଗଠନରେ ସାହାଯ୍ୟ କରିବ।

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଓଡ଼ିଶାକୁ ପୂର୍ବ ଭାରତର “ସୁରତ” ଓ “ତିରୁପୁର” ଭଳି ଟେକ୍ସଟାଇଲ୍ ହବ୍ ଭାବେ ଗଢ଼ି ତୋଳିବା ପାଇଁ ସରକାର ପ୍ରତିବଦ୍ଧ। ଏହି ଅବସରରେ ସେ କାରଖାନାରେ କାମ କରୁଥିବା କର୍ମୀମାନଙ୍କ ସହ ଆଲୋଚନା କରି ସେମାନଙ୍କ ଅନୁଭବ ଓ କାର୍ଯ୍ୟ ପ୍ରଣାଳୀ ବିଷୟରେ ଅବଗତ ହୋଇଥିଲେ।

Show More

Related Articles

Back to top button