ଦୁର୍ଘଟଣାମୁଖ୍ୟ ଖବର

ଚିଲିକା ନୌସେନା ପ୍ରଶିକ୍ଷଣ କେନ୍ଦ୍ରରେ ଅଗ୍ନିବୀର ପ୍ରଶିକ୍ଷାର୍ଥୀଙ୍କ ଅସ୍ୱାଭାବିକ ମୃତ୍ୟୁ

ପରିବାରର ହତ୍ୟା ଆଶଙ୍କା

ବାଣପୁର: ଚିଲିକାସ୍ଥିତ ଭାରତୀୟ ନୌସେନା ପ୍ରଶିକ୍ଷଣ କେନ୍ଦ୍ରରେ ଜଣେ ଅଗ୍ନିବୀର ପ୍ରଶିକ୍ଷାର୍ଥୀଙ୍କ ଅସ୍ୱାଭାବିକ ମୃତ୍ୟୁ ଘଟଣା ସମଗ୍ର ଅଞ୍ଚଳରେ ଚର୍ଚ୍ଚା ଓ ଚିନ୍ତାର କାରଣ ହୋଇଛି। ପ୍ରଶିକ୍ଷଣ କେନ୍ଦ୍ର ଭିତରୁ ତାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଥିବା ବେଳେ, ଏହାକୁ ନେଇ ପରିବାର ପକ୍ଷରୁ ଗୁରୁତର ଅଭିଯୋଗ ଆସିଛି।

ମୃତ ପ୍ରଶିକ୍ଷାର୍ଥୀ ହେଲେ ବିକାଶ କୁମାର, ଯିଏ ବିହାରର ଭୋଜପୁର ଜିଲ୍ଲାର ସାରିପୁର ଗାଁର ବାସିନ୍ଦା। ସେ ମାତ୍ର ଦୁଇ ମାସ ପୂର୍ବରୁ ଚିଲିକା ନୌସେନା ପ୍ରଶିକ୍ଷଣ କେନ୍ଦ୍ରରେ ଅଗ୍ନିବୀର ଭାବେ ଯୋଗ ଦେଇଥିଲେ। ଗତ ୧୮ ତାରିଖ ରାତିରେ ପ୍ରଶିକ୍ଷଣ କେନ୍ଦ୍ର ଭିତରେ ଥିବା ଏକ ଜିମ୍‌ରୁ ତାଙ୍କ ଝୁଲନ୍ତା ମୃତଦେହ ମିଳିଥିଲା।

ଘଟଣା ସମ୍ପର୍କରେ ପରବର୍ତ୍ତୀ ଦିନ ପରିବାରକୁ ସୂଚନା ଦିଆଯାଇଥିଲା। ମୃତକଙ୍କ ବାପା ପିଣ୍ଟୁ ସାଏ ଘଟଣାସ୍ଥଳକୁ ପହଞ୍ଚି ମୃତଦେହକୁ ଚିହ୍ନଟ କରିଥିଲେ। କିନ୍ତୁ ସେ ଏହାକୁ ଆତ୍ମହତ୍ୟା ମାନିବାକୁ ସ୍ପଷ୍ଟ ଭାବେ ଅସ୍ୱୀକାର କରିଛନ୍ତି। ତାଙ୍କ କହିବାନୁଯାୟୀ, ବିକାଶ ନିୟମିତ ଭାବରେ ପରିବାର ସହ ଯୋଗାଯୋଗରେ ଥାଉଥିଲେ ଏବଂ ଏଭଳି କଠିନ ପଦକ୍ଷେପ ନେବା ପ୍ରକୃତିର ନୁହେଁ। ତେଣୁ ଏହା ପଛରେ କୌଣସି ଅପରାଧିକ ଘଟଣା ଥାଇପାରେ ବୋଲି ସେ ସନ୍ଦେହ ପ୍ରକାଶ କରିଛନ୍ତି।

ଏହା ପରେ ପରିବାର ପକ୍ଷରୁ ବାଲୁଗାଁ ଥାନାରେ ଅଭିଯୋଗ ରୁଜୁ ହୋଇଛି। ପୁଲିସ୍‌ ଏହି ମାମଲାକୁ ଗୁରୁତ୍ୱର ସହ ଗ୍ରହଣ କରି ତଦନ୍ତ ଆରମ୍ଭ କରିଛି। ଘଟଣାସ୍ଥଳକୁ ସାଇଣ୍ଟିଫିକ ଟିମ୍‌ ପଠାଯାଇ ପ୍ରମାଣ ସଂଗ୍ରହ କରାଯାଇଛି। ପରେ ବ୍ୟବଚ୍ଛେଦ କରାଯାଇ ମୃତଦେହକୁ ପରିବାରଙ୍କୁ ହସ୍ତାନ୍ତର କରାଯାଇଛି।

ଉଲ୍ଲେଖନୀୟ ଯେ, କିଛିଦିନ ପୂର୍ବରୁ ମଧ୍ୟ ଏହି ପ୍ରଶିକ୍ଷଣ କେନ୍ଦ୍ରରେ ଉତ୍ତର ପ୍ରଦେଶର ଜଣେ ପ୍ରଶିକ୍ଷାର୍ଥୀଙ୍କ ଅସ୍ୱାଭାବିକ ମୃତ୍ୟୁ ଘଟିଥିବା ଖବର ଆସିଥିଲା। ଏହା ପରେ ପୁଣିଥରେ ଏଭଳି ଘଟଣା ଘଟିବାରୁ ପ୍ରଶିକ୍ଷଣ କେନ୍ଦ୍ରର ସୁରକ୍ଷା ବ୍ୟବସ୍ଥା ଓ ପରିବେଶକୁ ନେଇ ପ୍ରଶ୍ନ ଉଠିଛି।

ବର୍ତ୍ତମାନ ପୁଲିସ୍‌ ସମସ୍ତ ପ୍ରସଙ୍ଗକୁ ମଧ୍ୟନଜରରେ ରଖି ତଦନ୍ତ ଚାଲାଉଛି। ମୃତ୍ୟୁର ପ୍ରକୃତ କାରଣ କଣ ତାହା ବ୍ୟବଚ୍ଛେଦ ରିପୋର୍ଟ ଓ ପରବର୍ତ୍ତୀ ତଦନ୍ତ ପରେ ସ୍ପଷ୍ଟ ହେବ ବୋଲି ଅଧିକାରୀମାନେ କହିଛନ୍ତି।

Show More

Related Articles

Back to top button