
ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନର ଆଗାମୀ ୨୯ ତାରିଖରେ ହେବାକୁଥିବା ଦ୍ୱିତୀୟ ପର୍ଯ୍ୟାୟ ଭୋଟ ଆଗରୁ ପ୍ରାର୍ଥୀମାନଙ୍କ ସମ୍ପର୍କରେ ଚିନ୍ତାଜନକ ତଥ୍ୟ ସାମ୍ନାକୁ ଆସିଛି। ଆସୋସିଏଶନ ଫର୍ ଡେମୋକ୍ରାଟିକ୍ ରିଫର୍ମସ (ଏଡିଆର୍) ରିପୋର୍ଟ ଅନୁଯାୟୀ, ମୋଟ ୧,୪୪୫ ପ୍ରାର୍ଥୀଙ୍କ ମଧ୍ୟରୁ ୨୩ ପ୍ରତିଶତ ପ୍ରାର୍ଥୀ ନିଜ ସତ୍ୟପାଠରେ ଆପରାଧିକ ମାମଲା ଥିବା କଥା ଘୋଷଣା କରିଛନ୍ତି।
ଏହି ୧,୪୪୫ ପ୍ରାର୍ଥୀଙ୍କ ମଧ୍ୟରୁ ୩୩୮ ଜଣଙ୍କ ବିରୋଧରେ ଆପରାଧିକ ମାମଲା ଥିବାବେଳେ ୨୯୫ ଜଣଙ୍କ ବିରୋଧରେ ଗୁରୁତର ଅପରାଧ ମାମଲା ରହିଛି। ଏଥିରେ ୧୬ ଜଣଙ୍କ ବିରୋଧରେ ହତ୍ୟା ମାମଲା ଏବଂ ୮୦ ଜଣଙ୍କ ବିରୋଧରେ ହତ୍ୟା ଚେଷ୍ଟା ମାମଲା ରହିଛି।
ଦଳ ଭିତ୍ତିକ ତଥ୍ୟ ଦେଖିଲେ, ଭାରତୀୟ ଜନତା ପାର୍ଟି (ଭାଜପା)ର ୧୦୨ ଜଣ (୭୨%) ପ୍ରାର୍ଥୀଙ୍କ ବିରୋଧରେ ଆପରାଧିକ ମାମଲା ରହିଛି। ତୃଣମୂଳ କଂଗ୍ରେସ (ଟିଏମ୍ସି)ର ୪୯ ଜଣ (୩୫%), ସିପିଆଇ(ଏମ୍)ର ୫୧ ଜଣ (୫୧%) ଏବଂ କଂଗ୍ରେସର ୩୭ ଜଣ (୨୬%) ପ୍ରାର୍ଥୀଙ୍କ ନାମରେ ମଧ୍ୟ ଏମିତି ମାମଲା ରହିଛି।
ଅନ୍ୟପଟେ, ପ୍ରାର୍ଥୀମାନଙ୍କ ଆର୍ଥିକ ସ୍ଥିତି ମଧ୍ୟ ଆଲୋଚନାର କେନ୍ଦ୍ରବିନ୍ଦୁ ହୋଇଛି। ମୋଟ ୧,୪୪୫ ପ୍ରାର୍ଥୀଙ୍କ ମଧ୍ୟରୁ ୩୨୧ ଜଣ (୨୨%) କୋଟିପତି ଥିବାବେଳେ ସେମାନଙ୍କ ସମ୍ପତ୍ତି ୧ କୋଟି ଟଙ୍କାରୁ ଅଧିକ। ଦଳ ଅନୁସାରେ ଟିଏମ୍ସିର ୧୦୩ ଜଣ (୭୩%) ପ୍ରାର୍ଥୀ କୋଟିପତି ଥିବାବେଳେ ଭାଜପାର ୭୩ ଜଣ (୫୨%), କଂଗ୍ରେସର ୩୬ ଜଣ (୨୫%) ଏବଂ ସିପିଆଇ(ଏମ୍)ର ୩୩ ଜଣ (୩୩%) ପ୍ରାର୍ଥୀଙ୍କ ସମ୍ପତ୍ତି ୧ କୋଟିରୁ ଅଧିକ ରହିଛି।
ଏହି ତଥ୍ୟ ନିର୍ବାଚନରେ ଅପରାଧିକ ପୃଷ୍ଠଭୂମି ଓ ଧନଶକ୍ତିର ପ୍ରଭାବକୁ ପୁଣିଥରେ ପ୍ରକାଶ କରିଛି।



