ଦୁର୍ଘଟଣାମୁଖ୍ୟ ଖବର

ଭଦ୍ରକରେ ପିକଅପ୍ ଭ୍ୟାନ ଓଲଟି ୨୦ ଶ୍ରମିକ ଆହତ

ଭଦ୍ରକ: ଭଦ୍ରକ-ବାସୁଦେବପୁର ରାସ୍ତାର ବେକମୁଡ଼ି ଛକ ନିକଟରେ ଏକ ଅତ୍ୟଧିକ ଭାରବାହୀ ପିକଅପ୍ ଭ୍ୟାନ ଓଲଟିପଡ଼ିବାରୁ କମ୍ ସେ କମ୍ ୨୦ ଜଣ ଶ୍ରମିକ ଆହତ ହୋଇଛନ୍ତି। ସେଥିରୁ ୧୦ରୁ ଅଧିକଙ୍କ ଅବସ୍ଥା ଗୁରୁତର ରହିଛି।
ପିକଅପ୍ ଭ୍ୟାନଟିରେ ୨୭ ଜଣ ଆଦିବାସୀ ଶ୍ରମିକ ଓ ଏକ ମିକ୍ସର ମେସିନ୍‌କୁ ନେଇ ଭଦ୍ରକରୁ ବାସୁଦେବପୁର ଅଭିମୁଖେ ଯାଉଥିଲା। ମଝିରାସ୍ତାରେ ଗାଡ଼ିଟି ଭାରସାମ୍ୟ ହରାଇ ଓଲଟି ପଡ଼ିବାରୁ ଯାତ୍ରୀମାନେ ଛିଟିକି ପଡ଼ିଥିଲେ। ଜଣେ ଶ୍ରମିକ ଗାଡ଼ି ତଳେ ଚାପି ହୋଇଯାଇଥିଲେ।
ସ୍ଥାନୀୟ ଲୋକ ତୁରନ୍ତ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିବାବେଳେ ଅଗ୍ନିଶମ ବାହିନୀ, ପୁଲିସ ଓ ଆମ୍ବୁଲାନ୍ସ ଘଟଣାସ୍ଥଳରେ ପହଞ୍ଚି ଆହତମାନଙ୍କୁ ଉଦ୍ଧାର କରିଥିଲେ। ସମସ୍ତଙ୍କୁ ବାସୁଦେବପୁର ହସ୍ପିଟାଲକୁ ପଠାଯାଇଥିଲା। ପରେ ଗୁରୁତର ୫ ଜଣଙ୍କୁ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି।
ଆହତ ଶ୍ରମିକମାନେ ଭଦ୍ରକର ରାଣ୍ଡିଆ, ଚରମ୍ପା ଓ ଗେଲାପୁର ଅଞ୍ଚଳର ବୋଲି ଜଣାପଡ଼ିଛି। ସେମାନେ ମଣ୍ଡାରୀ ଅଞ୍ଚଳକୁ ଏକ ଘରର ଛାତ କାମ ପାଇଁ ଯାଉଥିଲେ। ପୁଲିସ କହିଛି, ଶ୍ରମିକମାନଙ୍କୁ ବେଆଇନ ଭାବେ ମାଲବାହୀ ଗାଡ଼ିରେ ପରିବହନ କରାଯାଉଥିଲା।
ସହକାରୀ ଶ୍ରମ ଅଧିକାରୀ ହସ୍ପିଟାଲକୁ ଯାଇ ଆହତମାନଙ୍କ ସହ ଆଲୋଚନା କରିଥିବାବେଳେ ଦୋଷୀ ଠିକାଦାରଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନର ଆଶ୍ୱାସନ ଦେଇଛନ୍ତି। ଘଟଣାରେ ସଂପୃକ୍ତ ଠିକାଦାର ଓ ତାଙ୍କ ସହଯୋଗୀମାନଙ୍କୁ ବାସୁଦେବପୁର ପୁଲିସ ଅଟକ ରଖିଛି। ତଦନ୍ତ ଜାରି ରହିଛି।

Show More

Related Articles

Back to top button