ଅପରାଧମୁଖ୍ୟ ଖବର

ବ୍ରହ୍ମପୁରରେ ଚିତାବାଘ ଛାଲ ଜବତ, ଜୀବନ୍ତ ବୋମା ସହ ୩ ଗିରଫ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ପୁଲିସ ଚିତାବାଘ ଛାଲ ଚୋରାଚାଲାଣ ଚକ୍ରର ପର୍ଦ୍ଦାଫାସ କରି ୩ ଜଣଙ୍କୁ ଗିରଫ କରିଛି। ବ୍ରହ୍ମପୁର ନିକଟସ୍ଥ ଧନବାଦା-ଆଙ୍କୁଲି ଜଙ୍ଗଲ ଅଞ୍ଚଳରେ ଚଢ଼ାଉ କରି ପୁଲିସ ଏହି ସଫଳତା ପାଇଛି।
ଗିରଫ ଅଭିଯୁକ୍ତମାନେ ହେଲେ ଗଜପତି ଜିଲ୍ଲା ରାମଗିରି ଥାନା ଅଞ୍ଚଳର ଗୋବିନ୍ଦ ଚନ୍ଦ୍ର ନାୟକ (୪୭), ବାରଦା ଗାଁର ଗୁଞ୍ଜୁ ରଇତା (୬୦) ଏବଂ ମଙ୍ଗରାଜପୁର ଗାଁର ରିତୁ ବଡ଼ମୁଣ୍ଡି (୨୫)।
ଜରଡ଼ା ଥାନା ଆଇଆଇସି ମିନାକ୍ଷୀ ଦଳବେହେରାଙ୍କ ଅଭିଯୋଗ ଆଧାରରେ ପୁଲିସ ଚଢ଼ାଉ କରିଥିଲା। ଅଭିଯୁକ୍ତମାନେ ଚିତାବାଘ ଛାଲ ବିକ୍ରି ପାଇଁ ନେଇଆସୁଥିବା ଗୁପ୍ତ ସୂଚନା ମିଳିବା ପରେ ପୁଲିସ ଟିମ୍‌ ଘଟଣାସ୍ଥଳରେ ପହଞ୍ଚିଥିଲା।
ପୁଲିସକୁ ଦେଖି ୪ ଜଣ ସନ୍ଦିଗ୍ଧ ଜଙ୍ଗଲ ଭିତରକୁ ପଳାଇବାକୁ ଉଦ୍ୟମ କରିଥିଲେ। ଏହି ସମୟରେ ସେମାନେ ପୁଲିସ ଉପରେ ଆକ୍ରମଣ ଉଦ୍ୟମ କରିଥିବା ଅଭିଯୋଗ ହୋଇଛି। ଜଣେ ଅଭିଯୁକ୍ତ ଖଣ୍ଡା ଦେଖାଇ ପୁଲିସକୁ ଧମକ ଦେଇଥିବାବେଳେ ଅନ୍ୟଜଣେ ବନ୍ଧୁକ ନେଇ ଫେରାର ହୋଇଯାଇଥିଲେ।
ଚଢ଼ାଉ ବେଳେ ପୁଲିସ ଏକ ଜୁଟ ବ୍ୟାଗ୍‌ ଭିତରୁ ସମ୍ପୂର୍ଣ୍ଣ ଚିତାବାଘ ଛାଲ ଜବତ କରିଥିଲା। ଏହାସହ ୨ଟି ଜୀବନ୍ତ ବୋମା, ଖଣ୍ଡା, ଲୁହା ରଡ୍‌ ଓ ଛୁରୀ ମଧ୍ୟ ଜବତ ହୋଇଛି।
ଚୋରା ବନ୍ୟଜନ୍ତୁ ସାମଗ୍ରୀର ଉତ୍ସ ଓ ଏହି ରାକେଟରେ ସଂପୃକ୍ତ ଅନ୍ୟମାନଙ୍କୁ ଚିହ୍ନଟ ପାଇଁ ତଦନ୍ତ ଜାରି ରହିଛି ବୋଲି ପୁଲିସ କହିଛି।

Show More

Related Articles

Back to top button