ଓଡ଼ିଶାମୁଖ୍ୟ ଖବର

‘ଖୋର୍ଦ୍ଧା ପୋଲିସ ମିତ୍ର’ ଉଦ୍ୟମ ଆରମ୍ଭ

ଭୁବନେଶ୍ୱର: ସମୁଦାୟଭିତ୍ତିକ ପୋଲିସିଂକୁ ସୁଦୃଢ଼ କରିବା ଲକ୍ଷ୍ୟରେ ଖୋର୍ଦ୍ଧା ପୋଲିସ ପକ୍ଷରୁ ଆଜି ‘ଖୋର୍ଦ୍ଧା ପୋଲିସ ମିତ୍ର’ ଉଦ୍ୟମର ଶୁଭାରମ୍ଭ କରାଯାଇଛି। ଏହା ସହ ଏହାର ସ୍ୱତନ୍ତ୍ର ଲୋଗୋ ଓ ନାଗରିକ ସହାୟତା ପ୍ଲାଟଫର୍ମ ମଧ୍ୟ ଉନ୍ମୋଚିତ ହୋଇଛି।
ଏହି ଉଦ୍ୟମ ମାଧ୍ୟମରେ ପୋଲିସ ଓ ସାଧାରଣ ଲୋକଙ୍କ ମଧ୍ୟରେ ସମନ୍ୱୟ ବୃଦ୍ଧି କରାଯିବା ସହ ଅଭିଯୋଗ ପଞ୍ଜିକରଣ, ଜରୁରୀ ସହାୟତା, ମୋବାଇଲ ଚୋରି ସୂଚନା, ବରିଷ୍ଠ ନାଗରିକ ସହାୟତା, ଥାନା ଲୋକେସନ ସେବା ଓ ମତାମତ ବ୍ୟବସ୍ଥା ଭଳି ବିଭିନ୍ନ ସୁବିଧା କ୍ୟୁଆର କୋଡ୍ ଓ ହ୍ୱାଟସ୍‌ଆପ୍ ମାଧ୍ୟମରେ ମିଳିପାରିବ।
ଉନ୍ମୋଚିତ ଲୋଗୋରେ ଜନବିଶ୍ୱାସ, ସୁରକ୍ଷା, ସହଯୋଗ ଓ ଦାୟିତ୍ୱବୋଧର ପ୍ରତୀକ ଦେଖିବାକୁ ମିଳିଛି। ଏହା ଜନମୁଖୀ, ସ୍ୱଚ୍ଛ ଓ ପେଶାଦାର ପୋଲିସିଂ ପ୍ରତି ଖୋର୍ଦ୍ଧା ପୋଲିସର ପ୍ରତିବଦ୍ଧତାକୁ ପ୍ରତିଫଳିତ କରୁଛି।
ଏସପି ବିବେକାନନ୍ଦ ଶର୍ମା କହିଛନ୍ତି ଯେ, ଶାନ୍ତି-ଶୃଙ୍ଖଳା ରକ୍ଷା, ଅପରାଧ ନିୟନ୍ତ୍ରଣ ଓ ସଚେତନତା ବୃଦ୍ଧିରେ ଜନସହଭାଗୀତା ଅତ୍ୟନ୍ତ ଜରୁରୀ। ସେ ସମସ୍ତଙ୍କୁ ‘ପୋଲିସ ମିତ୍ର’ ଉଦ୍ୟମ ସହ ଯୋଡ଼ିହୋଇ ସୁରକ୍ଷିତ ସମାଜ ଗଠନରେ ସହଯୋଗ କରିବାକୁ ଆହ୍ୱାନ କରିଛନ୍ତି।
ଏହି କାର୍ଯ୍ୟକ୍ରମରେ କେନ୍ଦ୍ରାଞ୍ଚଳ ଆଇଜି ଡ଼. ସତ୍ୟଜିତ ନାୟକ, ବରିଷ୍ଠ ପୋଲିସ ଅଧିକାରୀ, ଜନପ୍ରତିନିଧି, ଛାତ୍ରଛାତ୍ରୀ ଓ ସାଧାରଣ ଲୋକ ଉପସ୍ଥିତ ଥିଲେ।

Show More

Related Articles

Back to top button