
ଆସାମର ବୋଙ୍ଗାଇଗାଁଓ ଜିଲ୍ଲାର ଏକ ହୋଟେଲ ରୁମ୍ରୁ ଡିଏସ୍ପି ଖାର୍ଗେଶ୍ୱର ରାଭାଙ୍କ ଗଳିତ ମୃତଦେହ ମିଳିଛି। ସେ ମୁଖ୍ୟମନ୍ତ୍ରୀଙ୍କ ଭିଜିଲାନ୍ସ ସେଲ୍ରେ ନିଯୁକ୍ତ ଥିଲେ। ତାଙ୍କ ମୃତ୍ୟୁକୁ ନେଇ ପୋଲିସ ତଦନ୍ତ ଆରମ୍ଭ କରିଥିବାବେଳେ ମୃତ୍ୟୁର କାରଣ ଏଯାଏଁ ସ୍ପଷ୍ଟ ହୋଇନାହିଁ।
ସୂଚନା ଅନୁସାରେ, ଖାର୍ଗେଶ୍ୱର ଗତ ୧୮ ତାରିଖରେ ହୋଟେଲରେ ରହିଥିଲେ। କିନ୍ତୁ ଦୀର୍ଘ ସମୟ ଧରି ତାଙ୍କ ରୁମ୍ରୁ କୌଣସି ଚଳପ୍ରଚଳ ଦେଖିବାକୁ ମିଳିନଥିଲା। ପରେ ରୁମ୍ ଭିତରୁ ଦୁର୍ଗନ୍ଧ ବାହାରିବାରୁ ହୋଟେଲ କର୍ମଚାରୀ ପୋଲିସକୁ ଜଣାଇଥିଲେ। ପୋଲିସ ଅଧିକାରୀମାନେ ପହଞ୍ଚି କବାଟ ଭାଙ୍ଗିବା ପରେ ଭିତରୁ ଡିଏସ୍ପିଙ୍କ ମୃତଦେହ ଉଦ୍ଧାର କରିଥିଲେ।

ବୋଙ୍ଗାଇଗାଁଓର ବରିଷ୍ଠ ପୋଲିସ ଅଧୀକ୍ଷକ ନୁମଲ ମହାତୋଙ୍କ ସୂଚନା ଅନୁଯାୟୀ, ପ୍ରାଥମିକ ତଦନ୍ତରେ ସ୍ୱାସ୍ଥ୍ୟଗତ ସମସ୍ୟା ମୃତ୍ୟୁର କାରଣ ହୋଇଥାଇପାରେ ବୋଲି ଅନୁମାନ କରାଯାଉଛି। ତେବେ ବ୍ୟବଚ୍ଛେଦ ରିପୋର୍ଟ ମିଳିବା ପରେ ହିଁ ପ୍ରକୃତ କାରଣ ଜଣାପଡ଼ିବ।
ଘଟଣାର ତଦନ୍ତ ପାଇଁ ପୋଲିସ ହୋଟେଲର ସିସିଟିଭି ଫୁଟେଜ୍, କଲ୍ ଡିଟେଲ୍ ରେକର୍ଡ ଏବଂ ହୋଟେଲର ପରିଦର୍ଶକ ରେଜିଷ୍ଟର ଯାଞ୍ଚ କରିଛି। ମୃତ୍ୟୁ ପଛରେ ଥିବା ପ୍ରକୃତ କାରଣ ଜାଣିବାକୁ ତଦନ୍ତ ଜାରି ରହିଛି।



