‘ମନ୍ କୀ ବାତ୍’ରେ ଓଡ଼ିଶାର ମୈଥିଲୀ ଭୂଏଙ୍କ ସଫଳତା
ମହିଳାଙ୍କ ପାଇଁ ପାଲଟିଲେ ପ୍ରେରଣା

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଲୋକପ୍ରିୟ କାର୍ଯ୍ୟକ୍ରମ ‘ମନ୍ କୀ ବାତ୍’ରେ ଓଡ଼ିଶାର ସମ୍ବଲପୁର ଜିଲ୍ଲା ଡେବ୍ରିଗଡ଼ ଅଞ୍ଚଳର ମୈଥିଲୀ ଭୂଏଙ୍କ ସଫଳତାର କାହାଣୀ ସ୍ଥାନ ପାଇଛି। ମହିଳା ସଶକ୍ତୀକରଣର ଏକ ଉଦାହରଣ ଭାବେ ମୈଥିଲୀଙ୍କୁ ଉଲ୍ଲେଖ କରି ତାଙ୍କ ଜୀବନ ଓ ଜୀବିକାରେ ଆସିଥିବା ପରିବର୍ତ୍ତନର କାହାଣୀ ବଖାଣିଛନ୍ତି ପ୍ରଧାନମନ୍ତ୍ରୀ।
ଏକଦା ଜଙ୍ଗଲଜାତ ଦ୍ରବ୍ୟ ସଂଗ୍ରହ ଓ ବିକ୍ରି ଉପରେ ମୈଥିଲୀଙ୍କ ପରିବାରର ଜୀବିକା ନିର୍ଭରଶୀଳ ଥିଲା। ଜଙ୍ଗଲରୁ ସଂଗୃହୀତ ବିଭିନ୍ନ ସାମଗ୍ରୀ ବିକ୍ରି କରି ସେ ପରିବାର ଚଳାଉଥିଲେ। କିନ୍ତୁ ପରେ ଇକୋ-ଟୁରିଜିମ୍ ସହ ଯୋଡ଼ି ହେବା ତାଙ୍କ ଜୀବନରେ ଏକ ବଡ଼ ପରିବର୍ତ୍ତନ ଆଣିଥିଲା। ଏଥିରୁ ତାଙ୍କ ପାଇଁ ଆୟର ନୂଆ ମାଧ୍ୟମ ସୃଷ୍ଟି ହେବା ସହ ଆର୍ଥିକ ସ୍ୱାବଲମ୍ବନର ବାଟ ଖୋଲିଥିଲା।
ମୈଥିଲୀଙ୍କ ଏହି ଯାତ୍ରା କେବଳ ତାଙ୍କ ନିଜ ଜୀବନରେ ପରିବର୍ତ୍ତନ ଆଣିନାହିଁ, ଡେବ୍ରିଗଡ଼ ଅଞ୍ଚଳର ଅନ୍ୟ ମହିଳାଙ୍କ ପାଇଁ ମଧ୍ୟ ଏକ ପ୍ରେରଣା ପାଲଟିଛି। ଜଙ୍ଗଲ ସମ୍ପଦର ସୁରକ୍ଷା ସହ ଏହାକୁ ଜୀବିକାର ମାଧ୍ୟମ କରି କିପରି ନୂଆ ରୋଜଗାର ସୃଷ୍ଟି କରାଯାଇପାରେ, ମୈଥିଲୀ ତାହାର ଉଦାହରଣ ସୃଷ୍ଟି କରିଛନ୍ତି।
‘ମନ୍ କୀ ବାତ୍’ରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଜଙ୍ଗଲ କେବଳ ଜୀବନର ଆଧାର ନୁହେଁ, ଅନେକ ଲୋକଙ୍କ ଜୀବିକାର ମଧ୍ୟ ମୁଖ୍ୟ ସମ୍ବଳ। ଜଙ୍ଗଲର ସୁରକ୍ଷା କରିବା ସହ ଏହାର ସମ୍ବଳକୁ ସୁଚିନ୍ତିତ ଭାବେ ବ୍ୟବହାର କରି ମୈଥିଲୀ ରୋଜଗାରର ଏକ ନୂଆ ଦିଗ ଦେଖାଇଥିବା ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଛନ୍ତି।



