ମହଙ୍ଗା ମାଡ଼: ପୁଣି ବଢ଼ିଲା CNG ଦର, କିଲୋ ପିଛା ୩.୮୯ ଟଙ୍କା ବୃଦ୍ଧି

ନୂଆଦିଲ୍ଲୀ: ମହଙ୍ଗା ମାଡ଼ରେ ଛଟପଟ ହେଉଥିବା ଲୋକଙ୍କ ଉପରେ ପୁଣି ବଢ଼ିଛି ଇନ୍ଧନ ଦରର ବୋଝ। ଦେଶର ବିଭିନ୍ନ ସହରରେ CNG ଦର ପୁଣି ବୃଦ୍ଧି ପାଇଥିବା ବେଳେ ଦିଲ୍ଲୀରେ ଶନିବାର ସକାଳ ୬ଟାରୁ କିଲୋଗ୍ରାମ ପିଛା ୩ ଟଙ୍କା ୮୯ ପଇସା ଦର ବଢ଼ିଛି। ଏହାର ପ୍ରଭାବରେ ଅଟୋ, କାର୍ ଓ CNG ଚାଳିତ ଯାତାୟାତ ସେବା ବ୍ୟବହାର କରୁଥିବା ଲୋକଙ୍କ ଖର୍ଚ୍ଚ ଆହୁରି ବଢ଼ିବା ଆଶଙ୍କା ରହିଛି।
ଇନ୍ଦ୍ରପ୍ରସ୍ଥ ଗ୍ୟାସ୍ ଲିମିଟେଡ୍ (IGL) ପକ୍ଷରୁ ଏହି ଦର ବୃଦ୍ଧି କରାଯାଇଛି। କମ୍ପାନୀର କହିବା ଅନୁଯାୟୀ, CNG ପାଇଁ ଆବଶ୍ୟକ ଗ୍ୟାସ୍ର ଏକ ବଡ଼ ଅଂଶ ଆମଦାନୀ ହେଉଥିବା LNGରୁ ପୂରଣ କରାଯାଉଛି। ପଶ୍ଚିମ ଏସିଆରେ ସଂଘର୍ଷ ଆରମ୍ଭ ହେବା ପରେ ଅନ୍ତର୍ଜାତୀୟ ବଜାରରେ LNGର ସ୍ପଟ୍ ମୂଲ୍ୟ ବଢ଼ିଛି। ଫଳରେ ଗ୍ୟାସ୍ ଯୋଗାଣ ଖର୍ଚ୍ଚ ବଢ଼ିଥିବାରୁ CNG ଦର ବୃଦ୍ଧି କରିବା ଆବଶ୍ୟକ ହୋଇଥିବା IGL କହିଛି।
ତେବେ ଚଳିତ ବର୍ଷ ଏହା ପ୍ରଥମ CNG ଦର ବୃଦ୍ଧି ନୁହେଁ। ଗତ ୪ ମାସ ମଧ୍ୟରେ ଦିଲ୍ଲୀ-NCRରେ CNG ଦର ପ୍ରାୟ ୧୦ ଟଙ୍କା ପ୍ରତି କିଲୋଗ୍ରାମ ବଢ଼ିସାରିଛି। ଏହି ସମୟ ମଧ୍ୟରେ ମୋଟ ୫ ଥର ଦର ବୃଦ୍ଧି କରାଯାଇଛି।
ଯୁଦ୍ଧ ଆରମ୍ଭ ପରେ ମେ’ ୧୫ରେ ପ୍ରଥମଥର CNG ଦର ବଢ଼ିଥିଲା। ସେତେବେଳେ କିଲୋଗ୍ରାମ ପିଛା ୨ ଟଙ୍କା ବୃଦ୍ଧି କରାଯାଇଥିଲା। ଏହାପରେ ମେ’ ୧୭, ୨୩ ଓ ୨୬ ତାରିଖରେ ମଧ୍ୟ ଦର ବଢ଼ିଥିଲା। ବିଶେଷକରି ମେ’ ୧୭ରୁ ୨୬ ମଧ୍ୟରେ ମାତ୍ର ୧୦ ଦିନରେ CNG ଦର କିଲୋଗ୍ରାମ ପିଛା ୬ ଟଙ୍କା ବଢ଼ିଥିଲା।
ବାରମ୍ବାର ଦର ବୃଦ୍ଧି ଯୋଗୁଁ CNG ଯାନ ଚଳାଉଥିବା ଲୋକଙ୍କ ଇନ୍ଧନ ଖର୍ଚ୍ଚ ବଢ଼ିବା ସହ ଅଟୋ ଓ ଅନ୍ୟାନ୍ୟ ଯାତାୟାତ ସେବାର ଭଡ଼ା ଉପରେ ମଧ୍ୟ ଏହାର ପ୍ରଭାବ ପଡ଼ିପାରେ। ଫଳରେ ସାଧାରଣ ଲୋକଙ୍କ ଉପରେ ମହଙ୍ଗାର ଚାପ ଆହୁରି ବଢ଼ିବା ଆଶଙ୍କା ରହିଛି।



