Breaking PLUSଆଇନ କାନୁନଦେଶଦେଶ ବିଦେଶମୁଖ୍ୟ ଖବର

ଅଜଣା ନମ୍ବରରୁ କଲ୍‌ ଆସିଲେ ବି ଜାଣିହେବ ପରିଚୟ, ନଭେମ୍ବର ୧ରୁ ନୂଆ ବ୍ୟବସ୍ଥା

ନୂଆଦିଲ୍ଲୀ: ମୋବାଇଲକୁ ଅଜଣା ନମ୍ବରରୁ କଲ୍‌ ଆସିଲେ ଆଉ ପରିଚୟ ଜାଣିବା ପାଇଁ ଅନୁମାନ କରିବାକୁ ପଡ଼ିବ ନାହିଁ। କଲ୍‌ କରୁଥିବା ବ୍ୟକ୍ତିଙ୍କ ନାଁ ଓ ନମ୍ବର ଦେଖାଇବା ପାଇଁ ଦେଶରେ ନୂଆ ବ୍ୟବସ୍ଥା ଲାଗୁ କରିବାକୁ ଯାଉଛି ଟେଲିକମ୍ୟୁନିକେସନ ବିଭାଗ। ନଭେମ୍ବର ୧ରୁ କଲିଂ ନେମ୍‌ ପ୍ରେଜେଣ୍ଟେସନ (ସିଏନଏପି) ବ୍ୟବସ୍ଥା କାର୍ଯ୍ୟକାରୀ କରିବାକୁ ସମସ୍ତ ଟେଲିକମ୍‌ ସେବା ପ୍ରଦାନକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

ସିଏନଏପି ବ୍ୟବସ୍ଥାରେ କଲ୍‌ ଆସିବା ସମୟରେ ମୋବାଇଲ ସ୍କ୍ରିନ୍‌ରେ କଲ୍‌ କରୁଥିବା ବ୍ୟକ୍ତିଙ୍କ ନମ୍ବର ସହ ନାଁ ମଧ୍ୟ ଦେଖାଯିବ। ଯଦି ନମ୍ବରଟି ମୋବାଇଲରେ ସେଭ୍‌ ହୋଇନଥାଏ, ତେବେ ଟେଲିକମ୍‌ କମ୍ପାନୀର ରେକର୍ଡରେ ପଞ୍ଜୀକୃତ ଥିବା ନାଁ ପ୍ରଦର୍ଶିତ ହେବ। ଫଳରେ ଅଜଣା ନମ୍ବରରୁ ଆସୁଥିବା କଲ୍‌ର ପରିଚୟ ଜାଣିବାରେ ଗ୍ରାହକଙ୍କୁ ସହାୟତା ମିଳିବ।

ବିଭାଗର ନିର୍ଦ୍ଦେଶ ଅନୁଯାୟୀ, ଏହି ବ୍ୟବସ୍ଥା ପ୍ରଥମେ ୪ଜି ଓ ଏହାଠାରୁ ଉନ୍ନତ ନେଟୱର୍କରେ ଲାଗୁ ହେବ। ୨ଜି ଓ ୩ଜି ନେଟୱର୍କରେ ଏହାର ପ୍ରୟୋଗ ନେଇ ପରବର୍ତ୍ତୀ ସମୟରେ ନିଷ୍ପତ୍ତି ନିଆଯିବ। ଅନ୍ୟପକ୍ଷରେ, ବିଦେଶରୁ ଆସୁଥିବା କଲ୍‌କୁ ମୋବାଇଲ ସ୍କ୍ରିନ୍‌ରେ ଅନ୍ତର୍ଜାତୀୟ କଲ୍‌ ଭାବେ ଚିହ୍ନଟ କରାଯିବ।

ଏଥିପାଇଁ ଟେଲିକମ୍‌ ସଂସ୍ଥାଗୁଡ଼ିକ ଗ୍ରାହକଙ୍କ ନାଁ ଓ ମୋବାଇଲ ନମ୍ବର ସଂଯୁକ୍ତ ଡାଟାବେସ୍‌ ପ୍ରସ୍ତୁତ କରି ପରିଚାଳନା କରିବେ। ଏହା ସହିତ ଗ୍ରାହକଙ୍କ ତଥ୍ୟର ସୁରକ୍ଷା ସମ୍ପର୍କିତ ନିୟମ ପାଳନ କରିବାକୁ ମଧ୍ୟ ନିର୍ଦ୍ଦେଶ ରହିଛି।

Show More

Related Articles

Back to top button