ରେଳ କର୍ମଚାରୀଙ୍କୁ ଦୀପାବଳି ଭେଟି: ୭୮ ଦିନର ବୋନସ୍କୁ କ୍ୟାବିନେଟ୍ ମଞ୍ଜୁରି

ନୂଆଦିଲ୍ଲୀ: ରେଳ କର୍ମଚାରୀଙ୍କ ପାଇଁ ଦୀପାବଳି ଉପହାର ଘୋଷଣା କରିଛନ୍ତି କେନ୍ଦ୍ର ସରକାର। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର କ୍ୟାବିନେଟ୍ ବୈଠକରେ ୧୧,୪୦,୭୭୦ ଜଣ ରେଳ କର୍ମଚାରୀଙ୍କୁ ୭୮ ଦିନର ଉତ୍ପାଦକତା ଆଧାରିତ ବୋନସ୍ (ପିଏଲ୍ବି) ପ୍ରଦାନ ପ୍ରସ୍ତାବକୁ ଅନୁମୋଦନ ମିଳିଛି। ଏଥିପାଇଁ ସରକାର ମୋଟ ୨,୦୦୯.୬୧ କୋଟି ଟଙ୍କା ବ୍ୟୟ କରିବେ।
ପ୍ରତିବର୍ଷ ଦୁର୍ଗାପୂଜା ଓ ଦଶହରା ପୂର୍ବରୁ ଯୋଗ୍ୟ ରେଳ କର୍ମଚାରୀଙ୍କୁ ଏହି ବୋନସ୍ ପ୍ରଦାନ କରାଯାଏ। ଚଳିତ ବର୍ଷ ମଧ୍ୟ ରେଳବାଇର ଅଣଗେଜେଟେଡ୍ କର୍ମଚାରୀଙ୍କୁ ୭୮ ଦିନର ପାରିଶ୍ରମିକ ସମକକ୍ଷ ବୋନସ୍ ମିଳିବ। ପ୍ରତି ଯୋଗ୍ୟ କର୍ମଚାରୀ ସର୍ବାଧିକ ୧୭,୯୫୧ ଟଙ୍କା ପାଇବେ।
କ୍ୟାବିନେଟ୍ ବୈଠକ ପରେ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି, ଦିନରାତି ପରିଶ୍ରମ କରୁଥିବା ରେଳ କର୍ମଚାରୀଙ୍କ ପାଇଁ ଏହା ଦୀପାବଳି ଉପହାର। ଲୋକେ ପରିବାର ସହ ପର୍ବ ପାଳନ କରୁଥିବା ସମୟରେ ରେଳ କର୍ମଚାରୀମାନେ ଟ୍ରାକ୍, ଲୋକୋମୋଟିଭ୍ ଓ କର୍ମଶାଳାରେ ନିଜର ଦାୟିତ୍ୱ ତୁଲାଇଥାନ୍ତି ବୋଲି ସେ କହିଛନ୍ତି।
ଏହି ବୋନସ୍ରେ ଟ୍ରାକ୍ ରକ୍ଷଣାବେକ୍ଷଣକାରୀ, ଲୋକୋ ପାଇଲଟ୍, ଟ୍ରେନ୍ ମ୍ୟାନେଜର, ଷ୍ଟେସନ୍ ମାଷ୍ଟର, ଟେକ୍ନିସିଆନ୍, ପଏଣ୍ଟସମ୍ୟାନ୍ ଓ ଅନ୍ୟ ଗ୍ରୁପ୍-ସି କର୍ମଚାରୀ ସାମିଲ ଅଛନ୍ତି।
୨୦୨୫-୨୬ ଆର୍ଥିକ ବର୍ଷରେ ରେଳବାଇ ୧,୬୭୦ ନିୟୁତ ଟନ୍ ସାମଗ୍ରୀ ପରିବହନ କରିବା ସହ ପ୍ରାୟ ୭.୪୧ ବିଲିୟନ ଯାତ୍ରୀଙ୍କୁ ପରିବହନ ସେବା ଯୋଗାଇଛି। ରେଳବାଇର ଏହି ସଫଳତାରେ କର୍ମଚାରୀଙ୍କ ଅବଦାନକୁ ସ୍ୱୀକୃତି ଦେବା ସହ ସେମାନଙ୍କୁ ଅଧିକ ଉତ୍ସାହିତ କରିବା ଏହି ବୋନସ୍ର ଉଦ୍ଦେଶ୍ୟ।



