Breaking PLUSଓଡ଼ିଶାମୁଖ୍ୟ ଖବରରାଜନୀତିଶିକ୍ଷା

ଶିକ୍ଷକଙ୍କୁ ଦଶହରା ଭେଟି: ନୂଆ ସର୍ଭିସ୍‌ ରୁଲ୍‌କୁ କ୍ୟାବିନେଟ୍‌ ମଞ୍ଜୁରି

୧୬ଟି ପ୍ରସ୍ତାବ ଅନୁମୋଦିତ; ଦକ୍ଷତା ବିକାଶ ପାଇଁ ୪୫୦ କୋଟି, ମାଗଣା ବହି ପାଇଁ ୨୮୪ କୋଟିରୁ ଅଧିକ

ଭୁବନେଶ୍ୱର: ପ୍ରାଥମିକ ଓ ମାଧ୍ୟମିକ ସ୍କୁଲ ଶିକ୍ଷକଙ୍କ ଦୀର୍ଘଦିନର ଦାବିକୁ ଗୁରୁତ୍ୱ ଦେଇ ରାଜ୍ୟ ସରକାର ନୂଆ ସେବା ନିୟମାବଳୀକୁ ଅନୁମୋଦନ କରିଛନ୍ତି। ଏଥିସହ ହିନ୍ଦୀ ଓ ସଂସ୍କୃତ ଶିକ୍ଷକଙ୍କୁ ରାଜ୍ୟସ୍ତରୀୟ କ୍ୟାଡର ମାନ୍ୟତା ଏବଂ ପ୍ରାଥମିକ ଶିକ୍ଷକଙ୍କ ବରିଷ୍ଠତା ବିବାଦର ସମାଧାନ ପାଇଁ ନିଷ୍ପତ୍ତି ହୋଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ମଙ୍ଗଳବାର ସନ୍ଧ୍ୟାରେ ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ୍‌ ବୈଠକରେ ୧୧ଟି ବିଭାଗର ମୋଟ ୧୬ଟି ପ୍ରସ୍ତାବକୁ ମଞ୍ଜୁରି ମିଳିଛି।

ସରକାରୀ ହାଇସ୍କୁଲ ଶିକ୍ଷକଙ୍କ ସେବା ସର୍ତ୍ତାବଳୀରେ ଥିବା ଅସଙ୍ଗତି ଦୂର କରିବାକୁ ୧୯୯୩ର ପୁରୁଣା ନିୟମ ବଦଳରେ ‘ଓଡ଼ିଶା ମାଧ୍ୟମିକ ଶିକ୍ଷା (ନିଯୁକ୍ତି ପ୍ରଣାଳୀ ଓ ସେବା ସର୍ତ୍ତାବଳୀ) ନିୟମାବଳୀ-୨୦୨୬’ ପ୍ରଣୟନକୁ ଅନୁମୋଦନ ଦିଆଯାଇଛି। ଏହାଦ୍ୱାରା ନିଯୁକ୍ତି ପ୍ରକ୍ରିୟାରେ ଆଧୁନିକ ମାନଦଣ୍ଡ ଲାଗୁ ହେବା ସହ ରାଜ୍ୟସ୍ତରୀୟ କ୍ୟାଡର ବ୍ୟବସ୍ଥା ସୁଦୃଢ଼ ହେବ। ହିନ୍ଦୀ ଓ ସଂସ୍କୃତ ଶିକ୍ଷକଙ୍କୁ କ୍ୟାଡର ମାନ୍ୟତା ସହ ପଦୋନ୍ନତି ସୁବିଧା ମିଳିବ।

ସେହିପରି ପ୍ରାଥମିକ ଶିକ୍ଷା ବିଭାଗରେ ବରିଷ୍ଠତା ନିର୍ଦ୍ଧାରଣ ପାଇଁ ୧୯୯୭ର ନିୟମାବଳୀର ନିୟମ ୧୫(୬)ରେ ସଂଶୋଧନ କରାଯିବ। ଏଣିକି ସ୍ତର-୨ ବା ସହକାରୀ ଗୋଷ୍ଠୀ ଶିକ୍ଷା ଅଧିକାରୀ କ୍ୟାଡରରେ ବରିଷ୍ଠତା କେବଳ ସେବା ଅବଧି ଆଧାରରେ ନୁହେଁ, ବରଂ ସ୍ତର-୩ ଚୟନ ତାଲିକାର ସ୍ଥାନ ଅନୁଯାୟୀ ନିର୍ଦ୍ଧାରଣ ହେବ।

ନବମ ଓ ଦଶମ ଶ୍ରେଣୀ ପାଇଁ ମାଗଣା ବହି

ସରକାରୀ ଓ ଅନୁଦାନପ୍ରାପ୍ତ ହାଇସ୍କୁଲର ନବମ ଓ ଦଶମ ଶ୍ରେଣୀର ଛାତ୍ରଛାତ୍ରୀଙ୍କ ପାଇଁ ‘ନିଃଶୁଳ୍କ ପାଠ୍ୟପୁସ୍ତକ ଯୋଗାଣ’ ଯୋଜନାକୁ ମଧ୍ୟ ଅନୁମୋଦନ ମିଳିଛି। ଆଗାମୀ ୫ ବର୍ଷରେ ୨୮୪.୦୭ କୋଟି ଟଙ୍କା ବ୍ୟୟରେ ଏସ୍‌ସି/ଏସ୍‌ଟି ବର୍ଗର ଛାତ୍ରଛାତ୍ରୀଙ୍କୁ ବାଦ୍‌ ଦେଇ ୨୮.୭୦ ଲକ୍ଷ ପିଲାଙ୍କୁ ମାଗଣା ପାଠ୍ୟପୁସ୍ତକ ଯୋଗାଇ ଦିଆଯିବ।

୪.୨୦ ଲକ୍ଷ ଯୁବକଯୁବତୀଙ୍କ ଦକ୍ଷତା ବିକାଶ

ଯୁବବର୍ଗଙ୍କୁ ନିଯୁକ୍ତି ଉପଯୋଗୀ ପ୍ରଶିକ୍ଷଣ ଦେବା ପାଇଁ ୪୫୦ କୋଟି ଟଙ୍କାର ‘ଦକ୍ଷତା ବିକାଶ ଯୋଜନା’କୁ କ୍ୟାବିନେଟ୍‌ ମଞ୍ଜୁରି ଦେଇଛି। ୨୦୨୬-୨୭ରୁ ୨୦୨୮-୨୯ ଆର୍ଥିକ ବର୍ଷ ମଧ୍ୟରେ ଏହି ଯୋଜନା ଅଧୀନରେ ୪.୨୦ ଲକ୍ଷ ଯୁବକଯୁବତୀଙ୍କୁ ପ୍ରଶିକ୍ଷଣ ଦେବା ଲକ୍ଷ୍ୟ ରହିଛି। ଏଥିମଧ୍ୟରୁ ୩ ଲକ୍ଷ ଯୁବକଯୁବତୀଙ୍କୁ କୃତ୍ରିମ ବୁଦ୍ଧିମତ୍ତା, କ୍ଲାଉଡ୍‌ କମ୍ପ୍ୟୁଟିଂ, ଡାଟା ଆନାଲିଟିକ୍ସ ଓ ସାଇବର ସୁରକ୍ଷା ଭଳି କ୍ଷେତ୍ରରେ ଡିଜିଟାଲ୍‌ ତାଲିମ ଦିଆଯିବ। ଅନ୍ୟ ୧.୧୭ ଲକ୍ଷଙ୍କୁ ସ୍ୱଳ୍ପମିଆଦୀ ପ୍ରଶିକ୍ଷଣ ସହ ଉଚ୍ଚଶିକ୍ଷାନୁଷ୍ଠାନରେ ସ୍କିଲ୍‌ ହବ୍‌ ସ୍ଥାପନ, ଜର୍ମାନ ଓ ଜାପାନୀ ଭାଷା ଶିକ୍ଷା ଏବଂ ବିଦେଶରେ ନିଯୁକ୍ତି ପାଇଁ ସହାୟତା ଯୋଗାଇ ଦିଆଯିବ। ଦିବ୍ୟାଙ୍ଗ ଓ ଜେଲ୍‌ ଅନ୍ତେବାସୀଙ୍କ ପାଇଁ ମଧ୍ୟ ସ୍ୱତନ୍ତ୍ର ପ୍ରଶିକ୍ଷଣ ବ୍ୟବସ୍ଥା ରହିବ।

କୃଷି, ଜଳସମ୍ପଦ ଓ ଡିଜିଟାଲ୍‌ ଭିତ୍ତିଭୂମିକୁ ଗୁରୁତ୍ୱ

ଚାଷୀଙ୍କୁ ସୁଲଭ ମୂଲ୍ୟରେ ଉନ୍ନତ ବିହନ ଓ ସାର ଯୋଗାଣ ପାଇଁ ଓଡ଼ିଶା ରାଜ୍ୟ ବିହନ ନିଗମ ଏବଂ ଓଡ଼ିଶା ରାଜ୍ୟ ସମବାୟ ମାର୍କେଟିଂ ଫେଡେରେସନକୁ ୧,୩୬୦ କୋଟି ଟଙ୍କାର ସୁଧମୁକ୍ତ କର୍ପସ୍‌ ପାଣ୍ଠି ମଞ୍ଜୁର କରାଯାଇଛି। କଟକ ମହାନଦୀ ରିଭରଫ୍ରଣ୍ଟ ସମନ୍ୱିତ ବିକାଶ ପ୍ରକଳ୍ପ ପାଇଁ ୧୩୩.୭୧ କୋଟି ଟଙ୍କା ଏବଂ ବଲାଙ୍ଗିର ଜିଲ୍ଲାର ସଇଁତଳାରେ ଇନ୍‌ଷ୍ଟ୍ରିମ୍‌ ଜଳାଶୟ ନିର୍ମାଣ ପାଇଁ ୧୦୫.୬୨ କୋଟି ଟଙ୍କାର ଟେଣ୍ଡରକୁ ଅନୁମୋଦନ ମିଳିଛି।

କେନ୍ଦୁଝରର ଧରଣୀଧର ବିଶ୍ୱବିଦ୍ୟାଳୟ ପରିସରରେ ୧୭୬.୮୩ କୋଟି ଟଙ୍କା ବ୍ୟୟରେ ଡିଜିଟାଲ୍‌ ବିପର୍ଯ୍ୟୟ ପୁନରୁଦ୍ଧାର ଓ ତଥ୍ୟ କେନ୍ଦ୍ର ସ୍ଥାପନକୁ ମଧ୍ୟ ମଞ୍ଜୁରି ମିଳିଛି। ଏହା ସରକାରୀ ଡିଜିଟାଲ୍‌ ସେବାର ସୁରକ୍ଷା ଓ ନିରବଚ୍ଛିନ୍ନତା ରକ୍ଷାରେ ସହାୟକ ହେବ। ଏଥିସହ ଜଳସମ୍ପଦ ବିଭାଗର ଡିପ୍ଲୋମା ଯନ୍ତ୍ରୀ କ୍ୟାଡର ପୁନର୍ବିନ୍ୟାସ, ଶିଳ୍ପ ନୀତି-୨୦୨୨ରେ ଷ୍ଟାମ୍ପ ଶୁଳ୍କ ସଂଶୋଧନ ଏବଂ ରାଇରଙ୍ଗପୁରରେ ଡାକ ବିଭାଗର କାର୍ଯ୍ୟାଳୟ ନିର୍ମାଣ ପାଇଁ ମାଗଣାରେ ଜମି ହସ୍ତାନ୍ତର ପ୍ରସ୍ତାବକୁ ଅନୁମୋଦନ ଦିଆଯାଇଛି।

କ୍ୟାବିନେଟ୍‌ ବୈଠକ ପରେ ମୁଖ୍ୟମନ୍ତ୍ରୀ ମାଝୀ କହିଛନ୍ତି ଯେ, ଶାସନ ମୁଖ୍ୟ ଭାବେ ୨୫ ବର୍ଷ ପୂରଣ କରିଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଅଭିନନ୍ଦନ ଜଣାଇ ରାଜ୍ୟ କ୍ୟାବିନେଟ୍‌ରେ ଏକ ସଂକଳ୍ପ ପାରିତ ହୋଇଛି।

Show More

Related Articles

Back to top button