
ନୂଆଦିଲ୍ଲୀ: ଭାରତୀୟ ନୌସେନାରେ ସାମିଲ ହୋଇଛି ତୃତୀୟ ଅଗଭୀର ଜଳ ଆଣ୍ଟି-ସବମେରିନ୍ ଯୁଦ୍ଧପୋତ ଆଇଏନ୍ଏସ୍ ମାଙ୍ଗରୋଲ୍। ଏହାର ଯୋଗଦାନ ଦ୍ୱାରା ଉପକୂଳବର୍ତ୍ତୀ ଜଳସୀମାରେ ଶତ୍ରୁ ବୁଡ଼ାଜାହାଜର ଗତିବିଧି ଉପରେ ନଜର ରଖିବା ଓ ଆବଶ୍ୟକସ୍ଥଳେ ମୁକାବିଲା କରିବାରେ ନୌସେନାର କ୍ଷମତା ବୃଦ୍ଧି ପାଇବ। କୋଚିନ୍ ସିପ୍ୟାର୍ଡ ଲିମିଟେଡ୍ ଦ୍ୱାରା ନିର୍ମିତ ଏହି ଯୁଦ୍ଧପୋତ ଅଗଭୀର ଜଳରେ କାର୍ଯ୍ୟ କରିବା ପାଇଁ ସ୍ୱତନ୍ତ୍ର ଭାବେ ପ୍ରସ୍ତୁତ।
ଆଧୁନିକ ସାମୁଦ୍ରିକ ସୁରକ୍ଷା ଆହ୍ୱାନକୁ ଦୃଷ୍ଟିରେ ରଖି ମାଙ୍ଗରୋଲ୍ରେ ଉନ୍ନତ ଅସ୍ତ୍ରଶସ୍ତ୍ର ଓ ସେନ୍ସର ଖଞ୍ଜାଯାଇଛି। ଏଥିରେ ହଲ୍-ମାଉଣ୍ଟେଡ୍ ସୋନାର୍ ‘ଅଭୟ’, ହାଲୁକା ଟର୍ପେଡୋ, ସ୍ୱଦେଶୀ ଆଣ୍ଟି-ସବମେରିନ୍ ରକେଟ୍ ଲଞ୍ଚର୍ ଏବଂ ଟର୍ପେଡୋ ଡିକୟ ସିଷ୍ଟମ୍ ‘ମାରିଚ୍’ ରହିଛି। ତିନୋଟି ଡିଜେଲ୍ ଇଞ୍ଜିନ୍ ଓ ୱାଟରଜେଟ୍ ପ୍ରପଲ୍ସନ୍ ସିଷ୍ଟମ୍ ଏହାକୁ ଅଗଭୀର ଜଳରେ ଦ୍ରୁତ ଓ ଦକ୍ଷତାର ସହ କାର୍ଯ୍ୟ କରିବାରେ ସହାୟତା କରିବ।
ଏହି ଯୁଦ୍ଧପୋତ ସାମୁଦ୍ରିକ ପାଟ୍ରୋଲ୍ ବିମାନ, ହେଲିକପ୍ଟର ଓ ଅନ୍ୟ ଯୁଦ୍ଧଜାହାଜ ସହ ସମନ୍ୱୟ ରଖି କାର୍ଯ୍ୟ କରିପାରିବ। ଫଳରେ ବନ୍ଦର, ଉପକୂଳ ଓ ଗୁରୁତ୍ୱପୂର୍ଣ୍ଣ ସମୁଦ୍ର ପଥର ସୁରକ୍ଷା ଅଧିକ ମଜଭୁତ ହେବ। ନୌସେନାର ସୂଚନା ଅନୁଯାୟୀ, ଏହାର ୮୦ ପ୍ରତିଶତରୁ ଅଧିକ ଉପକରଣ ସ୍ୱଦେଶୀ। ଏହା ଉନ୍ନତ ଯୁଦ୍ଧଜାହାଜ ନିର୍ମାଣ କ୍ଷେତ୍ରରେ ଭାରତର ବଢ଼ୁଥିବା ଆତ୍ମନିର୍ଭରତାକୁ ଦର୍ଶାଉଛି।
ପଶ୍ଚିମ ନୌସେନା କମାଣ୍ଡର ଫ୍ଲାଗ୍ ଅଫିସର କମାଣ୍ଡିଂ-ଇନ୍-ଚିଫ୍ ଭାଇସ୍ ଆଡମିରାଲ୍ ସଞ୍ଜୟ ବାତ୍ସାୟନ୍ ଏହି ଅବସରରେ ମୁଖ୍ୟ ଅତିଥି ଥିଲେ। ଗୁଜରାଟର ଜୁନାଗଡ଼ ଜିଲ୍ଲାର ଉପକୂଳ ସହର ମାଙ୍ଗରୋଲ୍ ନାମରେ ଏହି ଯୁଦ୍ଧପୋତର ନାମକରଣ କରାଯାଇଛି।



