ଏସ୍ଆଇଆର୍ ବିରୋଧରେ ସୁପ୍ରିମକୋର୍ଟରେ ଇଣ୍ଡିଆ ମେଣ୍ଟର ପିଟିସନ

ନୂଆଦିଲ୍ଲୀ: ନିର୍ବାଚନ କମିଶନଙ୍କ ସ୍ୱତନ୍ତ୍ର ଗଭୀର ଭୋଟର ତାଲିକା ସଂଶୋଧନ (ଏସ୍ଆଇଆର୍) ପ୍ରକ୍ରିୟାକୁ ବିରୋଧ କରି ସୁପ୍ରିମକୋର୍ଟରେ ପିଟିସନ ଦାଖଲ କରିଛନ୍ତି ଇଣ୍ଡିଆ ମେଣ୍ଟର ୧୦ ଜଣ ନେତା। ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ ସୋମବାର ଏହି ନେତାମାନେ ସୁପ୍ରିମକୋର୍ଟରେ ପହଞ୍ଚି ପିଟିସନ ଦାଖଲ କରିଥିଲେ।
ରାହୁଲଙ୍କ ସହ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ, ତୃଣମୂଳ କଂଗ୍ରେସ ନେତା ସୌଗତ ରାୟ, ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ, ଆର୍ଜେଡି ନେତା ତେଜସ୍ୱୀ ଯାଦବ, ଶିବସେନା (ୟୁବିଟି) ନେତା ସଞ୍ଜୟ ରାଉତ, ସିପିଆଇଏମ୍ ନେତା ଏମ୍.ଏ. ବାବେ, ସିପିଆଇ ନେତା ଡି. ରାଜା, ଝାଡ଼ଖଣ୍ଡ ମୁକ୍ତିମୋର୍ଚ୍ଚା ନେତା ମହୁଆ ମାଝି ଓ ଏନ୍ସିପି ନେତା ସୁପ୍ରିୟା ସୁଲେ ସାମିଲ ଥିଲେ।
ସୋମବାର ସକାଳେ ରାହୁଲ ଗାନ୍ଧୀ ନିର୍ବାଚନ କମିଶନଙ୍କ କଥିତ ଅନିୟମିତତା ସମ୍ପର୍କରେ ପ୍ରଧାନ ବିଚାରପତି ସୂର୍ଯ୍ୟକାନ୍ତଙ୍କୁ ଅବଗତ କରାଇବା ପାଇଁ ଅନୁମତି ମାଗିଥିଲେ। ଅଭିଯୋଗ ସମ୍ପର୍କରେ ପିଟିସନ ଦାଖଲ କରିବାକୁ ପ୍ରଧାନ ବିଚାରପତି ପରାମର୍ଶ ଦେଇଥିବାରୁ ମେଣ୍ଟ ନେତାମାନେ ଏହି ପଦକ୍ଷେପ ନେଇଥିବା ଜଣାପଡ଼ିଛି।
ଅନ୍ୟପକ୍ଷରେ, ଇଣ୍ଡିଆ ମେଣ୍ଟର ଏହି ପଦକ୍ଷେପକୁ ବିଜେପି ସମାଲୋଚନା କରିଛି। ଦଳର ରାଷ୍ଟ୍ରୀୟ ମୁଖପାତ୍ର ଗୁରୁ ପ୍ରସାଦ ପାଶୱାନ ଅଭିଯୋଗ କରିଛନ୍ତି ଯେ ବିରୋଧୀ ନେତାମାନେ ମିଥ୍ୟା ପ୍ରଚାର କରୁଛନ୍ତି। ଏସ୍ଆଇଆର୍ର ସାମ୍ବିଧାନିକ ବୈଧତା ଉପରେ ସୁପ୍ରିମକୋର୍ଟ ପୂର୍ବରୁ ମୋହର ମାରିଥିବା ଦାବି କରି ସେ କଂଗ୍ରେସର ପରାଜୟକୁ ଏହି ପ୍ରଚାରର କାରଣ ବୋଲି କହିଛନ୍ତି।



