
ଗୁଆହାଟୀ: ଭାରତରେ ଜନସମର୍ଥନ ବିନା ସରକାର ପରିବର୍ତ୍ତନ ପାଇଁ କିଛି ରାଜନୈତିକ ଶକ୍ତି ଉଦ୍ୟମ କରୁଛନ୍ତି। ଏହା ପଛରେ ଭାରତର ବିକାଶକୁ ବିରୋଧ କରୁଥିବା ବିଦେଶୀ ଶକ୍ତିଙ୍କ ସମର୍ଥନ ରହିଛି ବୋଲି ଅଭିଯୋଗ କରିଛନ୍ତି ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା।
ସୋମବାର ସାମ୍ବାଦିକଙ୍କୁ ସେ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସରକାରଙ୍କ ନକ୍ସଲବାଦ ବିରୋଧୀ କାର୍ଯ୍ୟାନୁଷ୍ଠାନ, ଉତ୍ତର-ପୂର୍ବ ଭାରତରେ ଶାନ୍ତି ପ୍ରତିଷ୍ଠା ଉଦ୍ୟମ ଏବଂ ପାକିସ୍ତାନ ବିରୋଧରେ ସାମରିକ ପଦକ୍ଷେପରେ କିଛି ଗୋଷ୍ଠୀ ଅସନ୍ତୁଷ୍ଟ ଅଛନ୍ତି। ଏହି କାରଣରୁ ସେମାନେ ସରକାର ବିରୋଧରେ ଅଭିଯାନ ଚଳାଇଥିବା ସେ ଦାବି କରିଛନ୍ତି।
ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବିରୋଧରେ ଚାଲିଥିବା ପ୍ରତିବାଦକୁ ମଧ୍ୟ ହିମନ୍ତ ଏହି ଅଭିଯାନ ସହ ଯୋଡ଼ିଛନ୍ତି। ତାଙ୍କ ମତରେ, ମୋଦୀ ସରକାରଙ୍କ ନୀତି ଓ ଭାରତର ପ୍ରଗତିକୁ ବିରୋଧ କରୁଥିବା ଶକ୍ତି ଏହା ପଛରେ ରହିଛନ୍ତି।
ତେବେ ଏହି ଅଭିଯୋଗ ସମର୍ଥନରେ ସେ କୌଣସି ନିର୍ଦ୍ଦିଷ୍ଟ ପ୍ରମାଣ ଦେଇନାହାନ୍ତି କିମ୍ବା କେଉଁ ବିଦେଶୀ ଶକ୍ତି ଏଥିରେ ସାମିଲ, ତାହା ସ୍ପଷ୍ଟ କରିନାହାନ୍ତି। ଏହି ବୟାନକୁ ନେଇ ବିଜେପି ଓ କଂଗ୍ରେସ ମଧ୍ୟରେ ରାଜନୈତିକ ବାକ୍ଯୁଦ୍ଧ ଆହୁରି ତୀବ୍ର ହେବା ସମ୍ଭାବନା ରହିଛି।



