
ଭୁବନେଶ୍ୱର: ଛାତ୍ର ସଂସଦ ନିର୍ବାଚନ ପ୍ରଚାରକୁ ନେଇ ଉତ୍କଳ ବିଶ୍ୱବିଦ୍ୟାଳୟରେ ରବିବାର ସନ୍ଧ୍ୟାରେ ଉତ୍ତେଜନା ଦେଖାଦେଇଛି। ବିସିଜେଡି ଓ ଏବିଭିପିର ଛାତ୍ରଗୋଷ୍ଠୀ ମଧ୍ୟରେ ପାଟିତୁଣ୍ଡରୁ ହାତାହାତି ପରିସ୍ଥିତି ସୃଷ୍ଟି ହୋଇଥିବା ଅଭିଯୋଗ ହୋଇଛି। କ୍ୟାମ୍ପସରେ ଉତ୍ତେଜନା ଲାଗି ରହିବାରୁ ଗୋଟିଏ ପ୍ଲାଟୁନ୍ ପୁଲିସ ଫୋର୍ସ ମୁତୟନ କରାଯାଇଛି।
ଘଟଣାରେ କିଛି ଛାତ୍ର ସାମାନ୍ୟ ଆହତ ହୋଇଥିବା ଅଭିଯୋଗ ହୋଇଛି। ତେବେ ଏନେଇ ସହିଦନଗର ଥାନାରେ କୌଣସି ଏତଲା ହୋଇନାହିଁ। ପୁଲିସ ଟିମ୍ ଉପସ୍ଥିତିରେ ଗଣ୍ଡଗୋଳ ଘଟିଥିବା କିଛି ଛାତ୍ର କହିଛନ୍ତି। ଖବର ପାଇ ସହିଦନଗର ଥାନା ଆଇଆଇସି ଓ ଜୋନ୍-୫ ଏସିପିଙ୍କ ସମେତ ପୁଲିସ ଟିମ୍ ତୁରନ୍ତ ପହଞ୍ଚି ସ୍ଥିତି ନିୟନ୍ତ୍ରଣ କରିଥିଲେ। ବରିଷ୍ଠ ପୁଲିସ ଅଧିକାରୀମାନେ ମଧ୍ୟ କ୍ୟାମ୍ପସରେ ପହଞ୍ଚି ସ୍ଥିତି ସମୀକ୍ଷା କରିଛନ୍ତି। ଶାନ୍ତି ବଜାୟ ରଖିବାକୁ ଛାତ୍ର ସଂଗଠନଗୁଡ଼ିକୁ ନିବେଦନ କରାଯାଇଛି।
ଅନ୍ୟପକ୍ଷରେ, ପୁରୀ ଜିଲ୍ଲାର ପିପିଲି ପଦା ପଡ଼ିଆରେ ଭୋଜି କରୁଥିବା ଭୁବନେଶ୍ୱରର କିଛି ଛାତ୍ରଛାତ୍ରୀ ଅନ୍ୟ ଏକ ଗୋଷ୍ଠୀର ଆକ୍ରମଣର ଶିକାର ହୋଇଥିବା ଅଭିଯୋଗ ହୋଇଛି। ଏହି ମାରପିଟରେ ଦୁଇ ଜଣ ଆହତ ହୋଇଛନ୍ତି। ଆକ୍ରମଣ ସନ୍ଦେହରେ ପିପିଲି ପୁଲିସ ଦୁଇ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି। ଗଣ୍ଡଗୋଳର କାରଣ ଖୋଜିବା ସହ ଏଥିରେ ସମ୍ପୃକ୍ତ ଅନ୍ୟ ଯୁବକମାନଙ୍କୁ ଚିହ୍ନଟ କରିବାକୁ ପୁଲିସ ତଦନ୍ତ ଚଳାଇଛି।


