Breaking PLUSଦେଶମୁଖ୍ୟ ଖବର

ଭୂପେନ ହଜାରିକାଙ୍କୁ ମୋଦୀଙ୍କ ଶ୍ରଦ୍ଧାଞ୍ଜଳି, ଉଷା ମଙ୍ଗେଶକରଙ୍କୁ ପ୍ରଥମ ଜାତୀୟ ପୁରସ୍କାର

ନୂଆଦିଲ୍ଲୀ: ବିଶିଷ୍ଟ ଗାୟକ, ସଙ୍ଗୀତକାର ତଥା ସାଂସ୍କୃତିକ ବ୍ୟକ୍ତିତ୍ୱ ଡକ୍ଟର ଭୂପେନ ହଜାରିକାଙ୍କ ଜନ୍ମଶତବାର୍ଷିକୀ ସମାରୋହର ଉଦ୍‌ଯାପନୀ କାର୍ଯ୍ୟକ୍ରମରେ ଯୋଗଦେଇ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ରବିବାର ନୂଆଦିଲ୍ଲୀର ଭାରତ ମଣ୍ଡପମ୍‌ରେ ଆୟୋଜିତ ଏହି ସମାରୋହରେ ମୋଦୀ କହିଥିଲେ ଯେ, ଭୂପେନ ହଜାରିକା ନିଜ ସଙ୍ଗୀତ ମାଧ୍ୟମରେ ଦେଶବାସୀଙ୍କ ଭାବନାକୁ ସ୍ୱର ଦେବା ସହ ଜାତୀୟ ଏକତା, ସାମାଜିକ ସଦ୍‌ଭାବ ଓ ମାନବିକତାର ବାର୍ତ୍ତା ପ୍ରସାର କରିଥିଲେ।

ଆସାମୀ ଭାଷାରେ ଅଭିଭାଷଣ ଆରମ୍ଭ କରି ମୋଦୀ କହିଥିଲେ, ହଜାରିକାଙ୍କ ସଙ୍ଗୀତ ଭୌଗୋଳିକ ଓ ସାଂସ୍କୃତିକ ସୀମାକୁ ଅତିକ୍ରମ କରିଥିଲା। ‘ବୁକୁ ହୋମ୍‌ ହୋମ୍‌ କୋରେ’, ‘ବିସ୍ତୀର୍ଣ୍ଣ ପାରୋରେ’, ‘ଆମି ଏକେ ନାୱାର ଯାତ୍ରୀ’ ଏବଂ ‘ମାନୁହେ ମାନୁହୋର ବାବେ’ ଭଳି ଗୀତ ମାଧ୍ୟମରେ ସେ ଭାଇଚାରା ଓ ମାନବିକତାର ବାର୍ତ୍ତା ଦେଇଥିଲେ। ଏହି ଅବସରରେ ହଜାରିକାଙ୍କ ସ୍ମୃତିରେ ଆସାମ ସରକାରଙ୍କ ଜାତୀୟ ପୁରସ୍କାର ପ୍ରତିଷ୍ଠା ନିଷ୍ପତ୍ତିକୁ ମଧ୍ୟ ମୋଦୀ ପ୍ରଶଂସା କରିଥିଲେ।

ସମାରୋହରେ ପ୍ରଥମ ଡକ୍ଟର ଭୂପେନ ହଜାରିକା ଜାତୀୟ ପୁରସ୍କାର ବରିଷ୍ଠ କଣ୍ଠଶିଳ୍ପୀ ଉଷା ମଙ୍ଗେଶକରଙ୍କୁ ପ୍ରଦାନ କରିଥିଲେ ପ୍ରଧାନମନ୍ତ୍ରୀ। ଏହି ପୁରସ୍କାର ସହ ୧୦ ଲକ୍ଷ ଟଙ୍କାର ଅର୍ଥରାଶି, ସ୍ମୃତିଚିହ୍ନ, ପ୍ରଶଂସାପତ୍ର ଓ ସ୍ୱର୍ଣ୍ଣ ବ୍ରୋଚ୍‌ ଦିଆଯାଇଛି। କାର୍ଯ୍ୟକ୍ରମରେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା, ରାଜ୍ୟପାଳ ଲକ୍ଷ୍ମଣ ପ୍ରସାଦ ଆଚାର୍ଯ୍ୟ ଓ କେନ୍ଦ୍ରମନ୍ତ୍ରୀ ସର୍ବାନନ୍ଦ ସୋନୋୱାଲ ଉପସ୍ଥିତ ଥିଲେ। ଏହାସହ ହଜାରିକାଙ୍କ ଜୀବନୀ ଉପରେ ଆଧାରିତ ‘ଦି ଭଏସ୍‌ ଅଫ୍‌ ଏ ଲ୍ୟାଣ୍ଡ୍‌’ ଡକ୍ୟୁମେଣ୍ଟାରି ପ୍ରଦର୍ଶିତ ହୋଇଥିଲା।

Show More

Related Articles

Back to top button