Breaking PLUSଦେଶମୁଖ୍ୟ ଖବର

ଗଙ୍ଗାସାଗରକୁ ଗଡ଼ିବ ଟ୍ରେନ୍‌, ୩୪ କିମି ରେଳପଥକୁ ମଞ୍ଜୁରି

ନୂଆଦିଲ୍ଲୀ: ପଶ୍ଚିମବଙ୍ଗର ପ୍ରସିଦ୍ଧ ତୀର୍ଥସ୍ଥଳୀ ଗଙ୍ଗାସାଗରକୁ ରେଳପଥରେ ଯୋଡ଼ିବା ପାଇଁ ଭାରତୀୟ ରେଳବାଇ ପକ୍ଷରୁ ଏକ ବଡ଼ ପଦକ୍ଷେପ ନିଆଯାଇଛି। କାକଦ୍ୱୀପରୁ ଗଙ୍ଗାସାଗର ପର୍ଯ୍ୟନ୍ତ ନୂତନ ରେଳପଥ ନିର୍ମାଣ ଲାଗି ଚୂଡ଼ାନ୍ତ ସ୍ଥାନ ସର୍ଭେ (ଏଫ୍‌ଏଲ୍‌ଏସ୍‌)କୁ ଅନୁମୋଦନ ମିଳିଛି। ରବିବାର ଜାରି ଏକ ସରକାରୀ ବିବୃତିରେ ଏହି ସୂଚନା ଦିଆଯାଇଛି।

ପ୍ରାୟ ୩୪ କିଲୋମିଟର ଲମ୍ବର ଏହି ରେଳପଥରେ ହୁଗୁଳି ନଦୀ ଉପରେ ପ୍ରାୟ ୪.୫ କିଲୋମିଟର ଲମ୍ବର ଏକ ବୃହତ୍‌ ରେଳ ସେତୁ ନିର୍ମାଣ ହେବ। ଏହା ସମ୍ପୂର୍ଣ୍ଣ ହେଲେ ଦେଶର ଦୀର୍ଘତମ ରେଳ ସେତୁଗୁଡ଼ିକ ମଧ୍ୟରେ ସ୍ଥାନ ପାଇବା ଆଶା କରାଯାଉଛି।

ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି ଯେ, ଏହି ପ୍ରକଳ୍ପ ଦ୍ୱାରା ଗଙ୍ଗାସାଗରକୁ ଯାତାୟାତ ଅଧିକ ସୁବିଧାଜନକ ହେବ। ତୀର୍ଥଯାତ୍ରୀ, ସ୍ଥାନୀୟ ବାସିନ୍ଦା ଓ ପର୍ଯ୍ୟଟକ ଉପକୃତ ହେବା ସହ ପର୍ଯ୍ୟଟନ, ସ୍ଥାନୀୟ ଅର୍ଥନୀତି ଏବଂ ଅଞ୍ଚଳର ବିକାଶକୁ ଏହା ଗତି ଦେବ।

ପଶ୍ଚିମବଙ୍ଗର ସାଗର ଦ୍ୱୀପରେ ଅବସ୍ଥିତ ଗଙ୍ଗାସାଗରରେ ଗଙ୍ଗା ନଦୀ ବଙ୍ଗୋପସାଗରରେ ମିଶିଛି। ବିଶେଷକରି ମକର ସଂକ୍ରାନ୍ତି ସମୟରେ ଏଠାରେ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁଙ୍କ ସମାଗମ ହୁଏ। ସେମାନେ ସାଗର ସଙ୍ଗମରେ ପବିତ୍ର ବୁଡ଼ ପକାଇବା ସହ କପିଳ ମୁନି ମନ୍ଦିରରେ ପୂଜାର୍ଚ୍ଚନା କରନ୍ତି।

ବର୍ତ୍ତମାନ ଗଙ୍ଗାସାଗର ଯିବାକୁ ମୁରିଗଙ୍ଗା ନଦୀ ପାର ହେବା ପାଇଁ ଫେରି ସେବା ଉପରେ ନିର୍ଭର କରିବାକୁ ପଡ଼ୁଛି। ନୂତନ ରେଳପଥ ନିର୍ମାଣ ହେଲେ ସାଗର ଦ୍ୱୀପକୁ ଯାତାୟାତ ସହଜ ହେବ।

Show More

Related Articles

Back to top button