ସୋମବାର ଲୋକସଭାରେ ଆସିବ ସୀମା ନିର୍ଦ୍ଧାରଣ ବିଲ୍

ନୂଆଦିଲ୍ଲୀ: ନଭେମ୍ବର ୩୦ରେ ଲୋକସଭାର ସ୍ୱତନ୍ତ୍ର ଅଧିବେଶନର ପ୍ରଥମ ଦିନ ସୀମା ନିର୍ଦ୍ଧାରଣ (ଦ୍ୱିତୀୟ) ବିଲ୍, ୨୦୨୬ ଉପସ୍ଥାପନ ହେବ। ସଂସଦୀୟ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ ଏହାକୁ ଆଗତ କରିବେ। ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ କ୍ୟାବିନେଟ୍ ବୈଠକରେ ସମ୍ବିଧାନର ୧୩୨ତମ ସଂଶୋଧନ ବିଲ୍ ସହ ଏହି ବିଲ୍କୁ ମଞ୍ଜୁରି ମିଳିଛି।
ସେହିଦିନ ଗୃହମନ୍ତ୍ରୀ ଅମିତ ଶାହା କେନ୍ଦ୍ରଶାସିତ ଅଞ୍ଚଳ ଆଇନ (ସଂଶୋଧନ) ଦ୍ୱିତୀୟ ବିଲ୍ ମଧ୍ୟ ଉପସ୍ଥାପନ କରିବେ। ଏହା ଦିଲ୍ଲୀ, ଜମ୍ମୁ-କାଶ୍ମୀର ଓ ପୁଡୁଚେରୀର ଆଇନକୁ ନୂଆ ସମ୍ବିଧାନ ସଂଶୋଧନ ଅନୁରୂପ କରିବ।
ପ୍ରସ୍ତାବିତ ସଂଶୋଧନରେ ଲୋକସଭା ଓ ରାଜ୍ୟ ବିଧାନସଭାର ଆସନ ସଂଖ୍ୟା ୫୦ ପ୍ରତିଶତ ବୃଦ୍ଧି କରିବାର ବ୍ୟବସ୍ଥା ରହିଛି। ଏହାଦ୍ୱାରା ଲୋକସଭାର ସର୍ବାଧିକ ସଦସ୍ୟ ସଂଖ୍ୟା ୮୫୦ ହୋଇପାରିବ। ଏଥିସହ ମହିଳାଙ୍କ ପାଇଁ ୩୩ ପ୍ରତିଶତ ସଂରକ୍ଷଣ ଲାଗୁ କରିବାର ପଥ ସୁଗମ ହେବ। ନୂଆ ଆଇନ ଲାଗୁ ପରେ ନିର୍ବାଚନମଣ୍ଡଳୀ ପୁନଃନିର୍ଦ୍ଧାରଣ ପାଇଁ ସୀମା ନିର୍ଦ୍ଧାରଣ ଆୟୋଗ ଗଠନ ହେବ।



