Breaking PLUSଆଇନ କାନୁନଦେଶମୁଖ୍ୟ ଖବରସ୍ୱାସ୍ଥ୍ୟ

ବିସଲେରି ପାଣିରେ ଜୀବାଣୁ, କମ୍ପାନୀ ବିରୋଧରେ ମାମଲାକୁ ଅନୁମତି

ନୂଆଦିଲ୍ଲୀ: ଲୋକପ୍ରିୟ ବୋତଲବନ୍ଦ ପାଣି ବ୍ରାଣ୍ଡ ବିସଲେରି ପୁଣି ଅଡ଼ୁଆରେ। ପଶ୍ଚିମବଙ୍ଗରେ ଥିବା କମ୍ପାନୀର ଏକ ଉତ୍ପାଦନ ୟୁନିଟ୍‌ରୁ ସଂଗୃହୀତ ପାଣି ନମୁନା ଗୁଣବତ୍ତା ପରୀକ୍ଷାରେ ବିଫଳ ହେବା ପରେ ଏହା ବିରୋଧରେ ମାମଲା ରୁଜୁ ପାଇଁ ଅନୁମତି ଦେଇଛି ଭାରତୀୟ ଖାଦ୍ୟ ସୁରକ୍ଷା ଓ ମାନକ ପ୍ରାଧିକରଣ (ଏଫ୍‌ଏସ୍‌ଏସ୍‌ଏଆଇ)।

ସୂଚନା ଅନୁଯାୟୀ, ପଶ୍ଚିମବଙ୍ଗର ଜଲପାଇଗୁଡ଼ି ଜିଲ୍ଲା ତେଲିପଡ଼ା ଗାଁରେ ଥିବା ବିସଲେରି ପ୍ଲାଣ୍ଟରୁ ସଂଗୃହୀତ ନମୁନାରେ କୋଲିଫର୍ମ ଜୀବାଣୁ ମିଳିଛି। ପ୍ରାରମ୍ଭିକ ଓ ରେଫରାଲ୍‌ ଲାବୋରେଟୋରି ଉଭୟ ପରୀକ୍ଷାରେ ଏହାର ଉପସ୍ଥିତି ନିଶ୍ଚିତ ହୋଇଛି। ଏହି ଜୀବାଣୁ ଜଳରେ ମଳଜନିତ ପ୍ରଦୂଷଣ କିମ୍ବା ପାଇପ୍‌ଲାଇନ୍‌ରେ ତ୍ରୁଟି ଥିବାର ସଙ୍କେତ ଦେଇଥାଏ। ଏହା ପରେ ଗତ ଅଗଷ୍ଟ ୧୨ରେ ଏଫ୍‌ଏସ୍‌ଏସ୍‌ଏଆଇ ସମ୍ପୃକ୍ତ ବ୍ୟାଚ୍‌ର ବିକ୍ରି ଉପରେ ରୋକ୍‌ ଲଗାଇଥିଲା।

ବିସଲେରି ପାଇଁ ଏହା ନୂଆ ବିବାଦ ନୁହେଁ। ଏହା ପୂର୍ବରୁ ଗୋଆସ୍ଥିତ କମ୍ପାନୀର ଅନ୍ୟ ଏକ ୟୁନିଟ୍‌ରୁ ସଂଗୃହୀତ ନମୁନାରେ ଅନୁମୋଦିତ ସୀମାଠାରୁ ଅଧିକ ବ୍ରୋମେଟ୍‌ ମିଳିଥିବାରୁ ତାହାକୁ ଅସୁରକ୍ଷିତ ଘୋଷଣା କରାଯାଇଥିଲା। ପରବର୍ତ୍ତୀ ରେଫରାଲ୍‌ ପରୀକ୍ଷାରେ ପଲିସାଇକ୍ଲିକ୍‌ ଆରୋମାଟିକ୍‌ ହାଇଡ୍ରୋକାର୍ବନ୍‌ (ପିଏଏଚ୍‌) ମିଳିଥିବା ରିପୋର୍ଟରେ ଉଲ୍ଲେଖ ହୋଇଥିଲା।

ଅନ୍ୟପକ୍ଷରେ ବିସଲେରି ନିଜ ଉତ୍ପାଦ ପାନୀୟ ଜଳ ପିଇବା ପାଇଁ ସୁରକ୍ଷିତ ବୋଲି ଦାବି କରିଛି। କମ୍ପାନୀର କହିବା ଅନୁଯାୟୀ, ଏହାର ଉତ୍ପାଦନ ପ୍ରକ୍ରିୟାରେ ୧୦ଟି ପର୍ଯ୍ୟାୟରେ ୯୦ରୁ ଅଧିକ ଗୁଣବତ୍ତା ଯାଞ୍ଚ କରାଯାଏ। ନିୟାମକ ସଂସ୍ଥାକୁ ସମସ୍ତ ପ୍ରକାର ସହଯୋଗ କରିବାକୁ ମଧ୍ୟ କମ୍ପାନୀ ପ୍ରତିଶ୍ରୁତି ଦେଇଛି।

ଏହି ପରିପ୍ରେକ୍ଷୀରେ ଏଫ୍‌ଏସ୍‌ଏସ୍‌ଏଆଇ ବିସଲେରି, ଆକ୍ୱାଫିନା ଓ କିନ୍‌ଲେ ସମେତ ବିଭିନ୍ନ ବୋତଲବନ୍ଦ ପାଣି ବ୍ରାଣ୍ଡର ନମୁନା ଯାଞ୍ଚକୁ ଜୋରଦାର କରିଛି। ଦେଶବ୍ୟାପୀ ନମୁନା ସଂଗ୍ରହ ଓ ପରୀକ୍ଷା ଚାଲିଥିବା ବେଳେ ଆସନ୍ତା ୧ରୁ ୨ ମାସ ମଧ୍ୟରେ ଏହାର ଫଳାଫଳ ଆସିବ ବୋଲି ଏଫ୍‌ଏସ୍‌ଏସ୍‌ଏଆଇ ସିଇଓ ରଜିତ ପୁନ୍‌ହାନି କହିଛନ୍ତି। ଏହି ଅଭିଯାନର ଉଦ୍ଦେଶ୍ୟ ଜନସାଧାରଣଙ୍କ ମଧ୍ୟରେ ଭୟ ସୃଷ୍ଟି କରିବା ନୁହେଁ, ବରଂ ଖାଦ୍ୟ ସୁରକ୍ଷା ନିୟମର ଅନୁପାଳନ ସୁନିଶ୍ଚିତ କରିବା ବୋଲି ସେ ସ୍ପଷ୍ଟ କରିଛନ୍ତି।

Show More

Related Articles

Back to top button