ତିନି ବର୍ଷରେ ୧୭,୨୫୦ ଛାତ୍ରଛାତ୍ରୀଙ୍କ ଡ୍ରପ୍ଆଉଟ୍

ଓଡ଼ିଶାରେ ଉଚ୍ଚଶିକ୍ଷା କ୍ଷେତ୍ରରେ ଚିନ୍ତାଜନକ ଚିତ୍ର ସାମ୍ନାକୁ ଆସିଛି। ଗତ ତିନି ଶିକ୍ଷାବର୍ଷ ମଧ୍ୟରେ ରାଜ୍ୟର ଉଚ୍ଚଶିକ୍ଷା ଅନୁଷ୍ଠାନରୁ ୧୭ ହଜାର ୨୫୦ ଜଣ ସ୍ନାତକ ଛାତ୍ରଛାତ୍ରୀ ପାଠପଢ଼ା ଅଧାରୁ ଛାଡ଼ି ଦେଇଛନ୍ତି। ଶୁକ୍ରବାର ବିଧାନସଭାରେ ଏହି ତଥ୍ୟ ରଖିଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ।
କଂଗ୍ରେସ ବିଧାୟକ କାଦ୍ରକା ଅପ୍ପଲା ସ୍ୱାମୀଙ୍କ ପ୍ରଶ୍ନର ଲିଖିତ ଉତ୍ତରରେ ମନ୍ତ୍ରୀ ଦର୍ଶାଇଛନ୍ତି ଯେ, ୨୦୨୩-୨୪ ଶିକ୍ଷାବର୍ଷରେ ୫,୩୮୯ ଜଣ ଛାତ୍ରଛାତ୍ରୀ ପାଠପଢ଼ା ଛାଡ଼ିଥିଲେ। ୨୦୨୪-୨୫ରେ ଏହି ସଂଖ୍ୟା ବଢ଼ି ୬,୪୦୨ରେ ପହଞ୍ଚିଥିବା ବେଳେ ୨୦୨୫-୨୬ରେ ୫,୪୫୯ ଜଣ ଅଧ୍ୟୟନରୁ ଓହରି ଯାଇଛନ୍ତି। ଜିଲ୍ଲାୱାରୀ ତଥ୍ୟରେ ଗଞ୍ଜାମ ସର୍ବାଗ୍ରେ ରହିଛି। ଏଠାରେ ୬୪୬ ଜଣ ପାଠପଢ଼ା ଛାଡ଼ିଥିବା ବେଳେ ମୟୂରଭଞ୍ଜରେ ଏହି ସଂଖ୍ୟା ୫୩୮।
କେବଳ ଡ୍ରପ୍ଆଉଟ୍ ନୁହେଁ, ଉଚ୍ଚଶିକ୍ଷା ଅନୁଷ୍ଠାନରେ ଖାଲି ଆସନ ସଂଖ୍ୟା ମଧ୍ୟ ଉଦ୍ବେଗଜନକ। ୨୦୨୫-୨୬ ଶିକ୍ଷାବର୍ଷରେ ୭୯,୯୬୧ଟି ଆସନ ଖାଲି ପଡ଼ିଥିବା ବେଳେ ୨୦୨୪-୨୫ରେ ୭୩,୦୨୦ ଏବଂ ୨୦୨୩-୨୪ରେ ୮୫,୫୩୫ଟି ଆସନ ଖାଲି ରହିଥିଲା।
ସାମ୍ବାଦିକତା ଓ ଗଣଯୋଗାଯୋଗ ପାଠ୍ୟକ୍ରମରେ ମଧ୍ୟ ନାମଲେଖା ଆଗ୍ରହ ହ୍ରାସ ପାଉଥିବା ତଥ୍ୟରୁ ଜଣାପଡ଼ିଛି। ୨୦୨୫-୨୬ରେ ଏହି ବିଷୟରେ ୩୦୯ଟି ଆସନ ଖାଲି ରହିଛି। ଏହାର ତୁଳନାରେ ୨୦୨୪-୨୫ରେ ୧୪୧ଟି ଏବଂ ୨୦୨୩-୨୪ରେ ୧୫୪ଟି ଆସନ ଖାଲି ପଡ଼ିଥିଲା। ଏହି ତଥ୍ୟ ରାଜ୍ୟରେ ଉଚ୍ଚଶିକ୍ଷା ପ୍ରତି ଛାତ୍ରଛାତ୍ରୀଙ୍କ ଆଗ୍ରହ ଓ ନାମଲେଖା ସ୍ଥିତିକୁ ନେଇ ପ୍ରଶ୍ନ ଉଠାଇଛି।



