କାଲି କ୍ୟାଟ୍-୨୦୨୬ ଦେବେ ୨.୮୦ ଲକ୍ଷ ଏମ୍ବିଏ ଆଶାୟୀ

ନୂଆଦିଲ୍ଲୀ: ଆଇଆଇଏମ୍ ସମେତ ଦେଶର ବିଭିନ୍ନ ପ୍ରତିଷ୍ଠିତ ଶିକ୍ଷାନୁଷ୍ଠାନରେ ଏମ୍ବିଏ ପାଠ୍ୟକ୍ରମରେ ନାମଲେଖା ପାଇଁ ରବିବାର ଅନୁଷ୍ଠିତ ହେବ କମନ୍ ଆଡ୍ମିସନ୍ ଟେଷ୍ଟ (କ୍ୟାଟ୍)-୨୦୨୬। ଏଥିରେ ୨ ଲକ୍ଷ ୮୦ ହଜାରରୁ ଅଧିକ ଆଶାୟୀ ଭାଗନେବାର ସମ୍ଭାବନା ରହିଛି। ଦେଶର ୧୭୦ଟି ସହରରେ ତିନୋଟି ପର୍ଯ୍ୟାୟରେ ୧୨୦ ମିନିଟ୍ର ଏହି ପରୀକ୍ଷା ହେବ। ଚଳିତବର୍ଷ ଆଇଆଇଏମ୍ ଇନ୍ଦୋର ପରୀକ୍ଷା ପରିଚାଳନା ଦାୟିତ୍ୱ ନେଇଛି।
ପରୀକ୍ଷାର ସ୍ୱଚ୍ଛତା ଓ ସୁରକ୍ଷା ପାଇଁ ଫେସ୍ ମ୍ୟାଚିଂ ସହ କେତେକ କେନ୍ଦ୍ରରେ ମୋବାଇଲ୍ ଜାମର୍ ବ୍ୟବସ୍ଥା କରାଯାଇଛି। ପରୀକ୍ଷାରେ ଭାଷା ଦକ୍ଷତା ଓ ପଠନ ବୋଧ, ତଥ୍ୟ ବିଶ୍ଳେଷଣ ଓ ତାର୍କିକ ଦକ୍ଷତା ଏବଂ ଗଣିତ ଦକ୍ଷତା ଭଳି ତିନୋଟି ବିଭାଗ ରହିବ। ପ୍ରତ୍ୟେକ ବିଭାଗ ପାଇଁ ୪୦ ମିନିଟ୍ ସମୟ ମିଳିବ। ଗୋଟିଏ ବିଭାଗର ପରୀକ୍ଷା ଚାଲିଥିବାବେଳେ ଅନ୍ୟ ବିଭାଗକୁ ଯିବାକୁ ଅନୁମତି ମିଳିବ ନାହିଁ।
ପ୍ରଥମ ସିଫ୍ଟ ସକାଳ ୮ଟା ୩୦ରୁ ୧୦ଟା ୩୦, ଦ୍ୱିତୀୟ ସିଫ୍ଟ ଦିନ ୧୨ଟା ୩୦ରୁ ୨ଟା ୩୦ ଏବଂ ତୃତୀୟ ସିଫ୍ଟ ଅପରାହ୍ଣ ୪ଟା ୩୦ରୁ ୬ଟା ୩୦ ପର୍ଯ୍ୟନ୍ତ ଚାଲିବ। ବିଳମ୍ବରେ ପହଞ୍ଚୁଥିବା ପରୀକ୍ଷାର୍ଥୀଙ୍କୁ କେନ୍ଦ୍ରକୁ ପ୍ରବେଶ ଅନୁମତି ମିଳିବ ନାହିଁ। ୨୦୨୭ ଜାନୁଆରୀ ପ୍ରଥମ ସପ୍ତାହରେ ଫଳ ପ୍ରକାଶ ପାଇବା ଆଶା କରାଯାଉଛି। ଏହି ସ୍କୋର ଆଧାରରେ ୨୦୨୭-୨୯ ଶିକ୍ଷାବର୍ଷ ପାଇଁ ଏମ୍ବିଏ ଓ ପିଜିଡିଏମ୍ ପାଠ୍ୟକ୍ରମରେ ନାମଲେଖା ହେବ।



