ଦର୍ଶନ ସାରି ଫେରୁଥିଲେ, ନାଳରେ ଭାସିଗଲା କାର; ୭ ଓଡ଼ିଆଙ୍କ ସମେତ ୮ ମୃତ

ଭୋପାଳ: ମଧ୍ୟପ୍ରଦେଶର ନାଲଖେଡାରେ ଅଘଟଣ। ମା’ ବଗଳାମୁଖୀ ମନ୍ଦିର ଦର୍ଶନ ସାରି ଫେରୁଥିବା ବେଳେ ପ୍ରବଳ ସ୍ରୋତରେ କାର ଭାସିଯାଇ ୭ ଜଣ ଓଡ଼ିଆଙ୍କ ସମେତ ୮ ଜଣଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ୩ ଶିଶୁ, ୨ ମହିଳା ଓ ୩ ପୁରୁଷ ଅଛନ୍ତି। ୭ ଓଡ଼ିଆ ଭୁବନେଶ୍ୱର ଜୟଦେବବିହାର ଅଞ୍ଚଳର ବୋଲି ଜଣାପଡ଼ିଛି।
ସୂଚନା ଅନୁଯାୟୀ, ଉଜ୍ଜୟିନୀରୁ ଟ୍ୟାକ୍ସି ଭଡ଼ା କରି ପରିବାର ସଦସ୍ୟମାନେ ନାଲଖେଡାସ୍ଥିତ ମା’ ବଗଳାମୁଖୀ ମନ୍ଦିରକୁ ଯାଇଥିଲେ। ଦର୍ଶନ ପରେ ଫେରିବା ସମୟରେ ପ୍ରବଳ ବର୍ଷା ଯୋଗୁଁ ମନ୍ଦିର ନିକଟସ୍ଥ ଏକ ନାଳରେ ପାଣି ବଢ଼ିଯାଇଥିଲା। ନାଳ ପାର୍ ହେବାକୁ ଚେଷ୍ଟା କରିବା ବେଳେ ପ୍ରଖର ସ୍ରୋତରେ କାରଟି ଭାସିଯାଇଥିଲା।
ଘଟଣାର ସୂଚନା ପାଇ ପ୍ରଶାସନ ଓ ପୁଲିସ ଉଦ୍ଧାରକାରୀ ଦଳ ସହ ଘଟଣାସ୍ଥଳରେ ପହଞ୍ଚିଥିଲେ। ଦୀର୍ଘ ଚେଷ୍ଟା ପରେ କାରଟିକୁ ନାଳରୁ ବାହାର କରାଯାଇଥିଲା। ଏହା ଭିତରୁ ୮ ଜଣଙ୍କ ମୃତଦେହ ଉଦ୍ଧାର ହୋଇଥିଲା।
ପୁଲିସର ପ୍ରାଥମିକ ତଦନ୍ତ ଅନୁସାରେ, ପ୍ରବଳ ସ୍ରୋତ ମଧ୍ୟରେ ଡ୍ରାଇଭର ନାଳ ପାର୍ ହେବାକୁ ଚେଷ୍ଟା କରିଥିଲେ। ଫଳରେ କାରଟି ସ୍ରୋତରେ ଫସି ଭାସିଯାଇଥିଲା। ଦୁର୍ଘଟଣାର ପ୍ରକୃତ କାରଣ ନେଇ ତଦନ୍ତ ଜାରି ରହିଛି।
ମୃତକଙ୍କ ମଧ୍ୟରେ ଏକ ପରିବାରର ଅନେକ ସଦସ୍ୟ ଥିବା ଜଣାପଡ଼ିଛି। ଜଣେ ଯୁବତୀଙ୍କ କିଛି ଦିନ ପରେ ରିଙ୍ଗ୍ ସେରିମନି ହେବାର ଥିଲା। ଏହି ଦୁର୍ଘଟଣା ପରେ ଜୟଦେବବିହାର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।



